ଓଡିଶା ଉପକୂଳ ମୁହାଁ ‘ଫୋନି’। ପୁରୀଠୁ ୬୬୦ କିଲୋମିଟର ଦୂରରେ ହେଉଛି କେନ୍ଦ୍ରୀଭୂତ। ଘଂଟା ପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

811

କନକ ବ୍ୟୁରୋ: ପୁରୀକୁ ପାଖେଇଲା ‘ଫୋନି’ । ସାମୁଦ୍ରିକ ଝଡ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟ୍ରମରେ ପରିଣତ ହୋଇ ଏବେ ପୁରୀ ମୁହାଁ ହୋଇଛି । ବର୍ତ୍ତମାନ ଖବର ସୁଦ୍ଧା ଫୋନି ପୁରୀ ଉପକୂଳଠାରୁ ୬୬୦ କିଲୋମିଟର ଦୂରରେ ଥିବା ବେଳେ ବିଶାଖାପଟନମ୍ ଠାରୁ ୪୦୦ କିଲୋମିଟର ଦୂରରେ ରହିଛି । ତେବେ ଘଂଟା ପ୍ରତି ୧୪ କିଲୋମିଟର ବେଗରେ ସମୁଦ୍ର ପଥରେ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ଫୋନି । ୩ ତାରିଖ ଅପରାହ୍ନରେ ବାତ୍ୟା ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବ ।

 

ଅନ୍ୟପଟେ, ବାତ୍ୟା ଉପକୂଳ ଛୁଇଁନି ହେଲେ ଅଶାନ୍ତ ହେଲାଣି ପୁରୀ ସମୁଦ୍ର । ପୁରୀ ନିକଟରେ ସମୁଦ୍ର ଉଗ୍ର ହୋଇ କୂଳ ଲଂଘୁଥିବା ଚିତ୍ର ସାମ୍ନାକୁ ଆସିଛି । ବାତ୍ୟା ଫୋନି ପୁରୀ ନିକଟରେ ମାଡ ହେବା ନେଇ ଆଇଏମଡି ପୂର୍ବାନୁମାନ କରିବା ପରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି କରୁଛି ଜିଲ୍ଲା ପ୍ରଶାସନ । ଫୋନି ଏବେ ପୁରୀ ଠାରୁ ୬୬୦ କିମି ଦୂରରେ ରହିଥିବା ବେଳେ ପୁରୀରେ ଓଡ୍ରାଫ ଟିମ୍ ସଜାଗ ହୋଇଛନ୍ତି । ପ୍ରଭାବିତ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍ ପ୍ରସ୍ତୁତ କରାଯାଉଛି । ଅଗ୍ନିଶମ ମଧ୍ୟ ସଜାର ରହିଛି । ଦମକଳ ଗାଡିକୁ ପୁରା ପ୍ରସ୍ତୁତ କରି ରଖାଯାଇଛି । ଜିଲ୍ଲା ପ୍ରଶାସନ ରିଲିଫ ମହଜୁଦ ରଖିଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତ ପାଇଁ ପରାମର୍ଶ ଦିଆଯାଇଛି । ପୁରୀ ବେଳାଭୂମି ନିକଟ ହୋଟେଲରୁ ପର୍ଯ୍ୟଟକଙ୍କୁ ଖାଲି କରାଯାଉଛି ।