ବଙ୍ଗୋପସାଗରରୁ ଉପକୂଳ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ୨୬ରୁ ୨୭ ତାରିଖ ମଧ୍ୟରେ ଛୁଇଁବ ସ୍ଥଳଭାଗ । ଉଇଣ୍ଡି ଡଟ୍ କମର ଆକଳନ, ବାଲେଶ୍ୱରରେ କରିପାରେ ଲ୍ୟାଣ୍ଡଫଲ୍ ।

1,504

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତିନି ଦିନ ପରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ’ଣ ରୂପ ନେବ, କୁଆଡେ ଗତି କରିବ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାକୁ ନେଇ ଏବେ ଚର୍ଚ୍ଚା । ୱିଣ୍ଡି-ଡଟ୍-କମର ଆକଳନ ଯଦି ଠିକ୍ ହୁଏ ତେବେ …

– ମେ ୨୩ ତାରିଖରେ ଲଘୁଚାପ ଘନୀଭୂତ ହେବା ଆରମ୍ଭ କରିବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଉତ୍ତର ଆଣ୍ଡାମାନ ସାଗରରେ ଏହିଭଳି ଦୃଶ୍ୟମାନ ହେବ ।

-ମେ ୨୪ ତାରିଖରେ ଏହି ଲଘୁଚାପ ବାତ୍ୟା ରୂପରେ ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି । ଏହାପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତିି କରିବ ।

– ମେ ୨୫ ତାରିଖରେ ବାତ୍ୟାର ସମ୍ପୂର୍ଣ୍ଣ କଳେବର ପରିବର୍ତ୍ତନ ହେବ ।

– ମେ ୨୬ ତାରିଖରେ ଏହି ବାତ୍ୟା ଓଡିଶା ଉପକୂଳର ନିକଟବର୍ତି ହେବ । ପାରାଦ୍ୱୀପ ଓ ଚାନ୍ଦବାଲି ମଧ୍ୟବର୍ତ୍ତୀର୍ ଅଂଚଳରେ ବାତ୍ୟାର ପ୍ରଭାବ ଆରମ୍ଭ ହୋଇଯିବ । ୱିଣ୍ଡି-ଡଟ୍-କମର ଆକଳନ ଅନୁସାରେ ଏହା ଚାନ୍ଦବାଲି, ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ଏବଂ ୨୬ ତାରିଖ ରାତି ୧୧ଟା ପରଠାରୁ ଏହି ପକ୍ରିୟା ଆରମ୍ଭ ହୋଇପାରେ ।

– ମେ ୨୭ ତାରିଖ ସକାଳ ୫ଟା ବେଳକୁ ଏମାନଙ୍କର ଆକଳନ ଅନୁସାରେ ବାତ୍ୟାର ଆଖି ସ୍ଥଳଭାଗ ଅତିକ୍ରମ କରି ସାରିଥିବ ଏବଂ ବେତନଟି ଓ ବାରିପଦା ଦେଇ ଗତି କରିଯିବ ।

ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି, ୨୨ ରୁ ୨୫ ମଧ୍ୟରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୬ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ବଙ୍ଗୋପସାଗର ଦେଇ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଂଚଳରେ ଲ୍ୟାଣ୍ଡଫଲ କରିପାରେ । ସେପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ପଶ୍ଚିମବଙ୍ଗ. ବାଙ୍ଗଲାଦେଶ କିମ୍ବା ଓଡିଶାରେ ଲ୍ୟାଣ୍ଡଫଲ କରିପାରେ । ତେବେ ବାତ୍ୟାର ଆନୁମାନିକ ଗତିପଥ ଏବଂ ପ୍ରକୃତରେ ଏହା କେଉଁ ଦିଗରେ ଗତି କରିବ, ତା ଉପରେ ସମସ୍ତେ ନଜର ରଖିଛନ୍ତି ।