ବାତ୍ୟାର ଗତିପଥ ଆକଳନ କଲା ପାଣିପାଗ ବିଭାଗ । ଓଡିଶାରେ ହେବ ମାଡ । ବାଲେଶ୍ୱର ଭୋଗରାଇ ହୋଇପାରେ ଲ୍ୟାଣ୍ଡଫଲ ।

700

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ କେଉଁଠି ମାଡ ହେବ, କେଉଁ ଆଡକୁ ଗତି କରିବ? ଏହାର ଗତିପଥ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେ । ବାଲେଶ୍ୱର – ଭୋଗରାଇ ଅଞ୍ଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ଲ୍ୟାଣ୍ଡଫଲ କରିବ ।

ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଂଟାକୁ ୧୬୫ କିଲୋମିଟର ହୋଇପାରେ । ବେଳେ ବେଳେ ପବନ ଝଟକା ଦେଇ ଘଂଟାକୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ପୂର୍ବରୁ ଏହା ବାଙ୍ଗଲାଦେଶ ଯାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏହା ଓଡିଶା ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭାରତର ପ୍ରାୟ ଅଧା ଆକାରର ସୃଷ୍ଟି ହୋଇଥିବା ଏହି ବାତ୍ୟା ‘ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଆକାରକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି । ଯଦି ବାତ୍ୟାର ଗତିପଥକୁ ଆକଳନ କରାଯିବ, ତେବେ ଏହା ବାଲେଶ୍ୱରରେ ମାଡ ହୋଇ ବାରିପଦା, ଜାମଶୋଳା, ତାପରେ ବାହାରାଗୋଡା ଓ ଘାଟଶିଳା ଦେଇ ଜାମସେଦପୁର ଆଡକୁ ଗତି କରିବ ।