ବାତ୍ୟା ୟାସ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ପ୍ରଭାବିତ ୪ଜିଲ୍ଲାକୁ କରିବେ ଗସ୍ତ

122

କନକ ବ୍ୟୁରୋ : ବାତ୍ୟା ୟାସ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଆସିବେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ ଆସିବ । ଏଥିରେ କେନ୍ଦ୍ରରୁ ୭ଜଣ ସଦସ୍ୟ ଆସିବେ । ସେମାନେ ବାତ୍ୟାୟ ପ୍ରଭାବିତ ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ସୋମବାର ଓ ମଙ୍ଗଳବାର ସେମାନେ ପର୍ଯ୍ୟାୟ କ୍ରମେ ଏସବୁ ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ମେ ୨୮ରେ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳକୁ ଆକାଶ ମାର୍ଗରୁ ଦେଖିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟାଞ୍ଚଳ ଦେଖିଥିଲେ । ଏରିଏଲ୍ ସର୍ଭେ ପୂର୍ବରୁ ବାତ୍ୟା ସ୍ଥିତିର ସମୀକ୍ଷା କରିଥିଲେ ନରେନ୍ଦ୍ର ମୋଦୀ । ଏଥିରେ ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ବାତ୍ୟା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବାତ୍ୟା କ୍ଷତିର ଭରଣା ପାଇଁ ଆର୍ଥିକ ସହାୟତା ଦାବି ନକରି ଦୀର୍ଘକାଳୀନ ଭିତିରେ ଓଡ଼ିଶା କିପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିବ, ଏ ନେଇ ସହାୟତା ଦେବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।