ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । କହିଲେ  ସବୁ ଜୀବନ ମୂଲ୍ୟବାନ, ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ । ଭୟଭୀତ  ନ ହେବାକୁ ଦେଲେ ପରାମର୍ଶ । 

296

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଭିଡ଼ିଓ କନଫରେନ୍ସିଂ ଜରିଆରେ ବସିଥିବା ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସବୁ ଜୀବନ ମୂଲ୍ୟବାନ ଏହାକୁ ଦୃଷ୍ଟିରେ ରଖି ବାତ୍ୟା ମୁକାବିଲା କରାଯିବ । ଏହାଛଡା ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଜିଲ୍ଲାପାଳ ଓ ଏସପି ମାନେ ଏହା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିପର୍ଯ୍ୟୟ ପରିଚାଳନା ଟିମ ଓଡ୍ରାଫ, ଏନଡିଆରଏଫ, ରାସ୍ତା ସଫା କରୁଥିବା ମେସିନ ଓ ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବହୃତ ମେସିନ ପ୍ରସ୍ତୁତ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି । ବାତ୍ୟା ପରେ କମ ସମୟରେ ରାସ୍ତା ସଫା କରିବା ଓ ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ଫୋକସ ରହିବାକୁ କୁହାଯାଇଛି । ମୁକାବିଲା ପାଇଁ ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାବାଦ୍  କୋଭିଡ ପରିସ୍ଥିତି ଯୋଗୁ ଅକ୍‌ସିଜେନ ଯୋଗାଣ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍‌ସିଜେନ ଯୋଗାଣରେ  ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଭାବରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟସରକାର  ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ,  ବାତ୍ୟାର ମୁକାବିଲା  ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି। ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି । ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍‌ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି ।

ବୈଠକରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ବରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି ।  ଏହାସହିତ ଅକ୍‌ସିଜେନ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ, ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି ।  ଏହାସହ ଗର୍ଭବତୀ ମହିଳା ମାନଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।