କନକ ବ୍ୟୁରୋ: ସାମୁଦ୍ରିକ ଝଡ ୟାସର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଧନ ଜୀବନର ସୁରକ୍ଷାପାଇଁ ଲୋକମାନଙ୍କୁ ସଚେତନ କରିବା ସହିତ ଉପକୁଳ ଅଂଚଳରେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । ମହାକାଳପଡା ବ୍ଲକରେ ବାତ୍ୟାର ପ୍ରଭାବ ଅଧିକ ମାତ୍ରାରେ ଅନୁଭୁତ ହେବା ଆଶଙ୍କାରେ ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ବତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ବ୍ଲକର ଖରିନାସି , ବତୀଘର , ଜମ୍ବୁ , ସୁନିତି ଇତ୍ୟାଦି ପଂଚାୟତରେ ସମସ୍ଥ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ପ୍ରଶାସନ ପକ୍ଷରୁ ଖରିନାସି ଜେଟିରେ ମାଇକ ଯୋଗେ ସୁଚନା ଦିଆଯିବା ପରେ ମତ୍ସ୍ୟଜିବି ମାନେ ନିଜ ନିଜ ମାଛଧରା ଡଙ୍ଗା ଏବଂ ଯନ୍ତ୍ର ଚାଳିତ ଡଙ୍ଗା ଗୁଡିକୁ ସାମୁଦ୍ରିକ ଝଡ ୟାସର ପ୍ରଭାରୁ ସୁରକ୍ଷା ଦେବାପାଇଁ କୁଳକୁ ଆଣି ବାନ୍ଧି ରଖିବା ସହିତ ନଦୀ କୁଳରେ ଥିବା ଜଙ୍ଗଲରେ ବାନ୍ଧି ରଖିଥିବାର ଦେଖାଯାଇଛି ।
ସେପଟେ ଆଠଗଡ଼ ସମ୍ଭାଵ୍ୟ ବାତ୍ୟା ‘ୟାସ୍’କୁ ନେଇ ରାଜ୍ୟ ସରକାର ସମସ୍ତଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେବାପରେ ଚଳଚଞ୍ଚଳ ଆଠଗଡ଼ ଉପଖଣ୍ଡ ଅଗ୍ନିଶମ ବିଭାଗ । ଭାରତୀୟ ପାଣିପାଗ ବିଭାଗ ସତର୍କତା ପରେ ଆଠଗଡ଼ ଉପଖଣ୍ଡରେ ଥିବା ସମୁଦାୟ ୮ଟି ଜୋନରେ ବାତ୍ୟା ମୁକାବିଲା ପାଇଁ ବୋଟ, ଲାଇଟ ଜ୍ୟାକେଟ,ପାୱାର କଟର , ଆସ୍କା ଲାଇଟ, ଗାଡ଼ି ଏବଂ କର୍ମଚାରୀ ଆଦି ପ୍ରସ୍ତୁତ ଥିବା ଆଠଗଡ ଦମକଳବାହିନୀ ଅଧିକାରୀ କହିଛନ୍ତି । ଯେକୌଣସି ପରିସ୍ଥିତିରେ ଖବର ଆସିଲେ ସେ ସଙ୍ଗେ ସଙ୍ଗେ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ।