ବାତ୍ୟା ୟାସ୍ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଜାଣନ୍ତୁ କେଉଁ ବାବଦକୁ ମିଳିବ କେତେ ଟଙ୍କା?

1,285

କନକ ବ୍ୟୁରୋ : ବାତ୍ୟା ୟାସ୍ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଣଜଳସଚିତ ଅଞ୍ଚଳରେ ହେକ୍ଟର ପିଛା ୬୮୦୦, ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୩୫୦୦, ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮୦୦୦ ଟଙ୍କା ଇନପୁଟ୍ ସହାୟତା ଦିଆଯିବ । ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ।

ଏହାବାଦ୍ ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀ ମାନଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ୬୦,୦୦୦ ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନପୁଟ ସବସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ। ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି ଦିଆଯିବ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍‌ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ। ପମ୍ପସେଟ୍‌ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫,୦୦୦ ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ। ଭଦ୍ରକ ଓ ବାଲେଶ୍ୱରରେ ଲୁଣା ପାଣି ମାଡି ଯାଇଥିବାରୁ ମାଟିର ମାନରେ ଉନ୍ନତି ପାଇଁ ହେକ୍ଟର ପିଚ୍ଛା ୭୫୦ ଟଙ୍କା ସହାୟତା ଦିଆଯିବ। ସମୁଦାୟ ୧୦ ହଜାର ହେକ୍ଟର ଜମି ପାଇଁ ସହାୟତା ପ୍ରଦାନ କରାଯିବ।

ସେହିଭଳି ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଛା୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦,୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍‌ ପିଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।

ଅନ୍ୟପଟେ ବାତ୍ୟାରେ ଦୁଧିଆଳୀ ଗାଇ, ମଇଁଷି. ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଇ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ,କ୍ଷୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା ଦିଆଯିବ । ସେହିପରି ସର୍ବାଧିକ ୬ଟି ବାଛୁରୀ ପାଇଁ – ପ୍ରତି ବାଛୁରୀ ପାଇଁ ୧୬,୦୦୦ ଟଙ୍କା, ୩୦ଟି ଛେଳି/ମେଣ୍ଢା ପର୍ୟ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ, ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ। ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ।

ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାବାଦ୍ ବାତ୍ୟାରେ କ୍ଷତିଗ୍ରସ୍ତ ହସ୍ତତନ୍ତ କାରିଗରଙ୍କୁ ଉପକରଣ ପାଇଁ ୪୧୦୦ ଟଙ୍କା ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।