ସବୁ ଉଜାଡିଦେଲା ବାତ୍ୟା ୟାସ୍ । ଜୀବନ ବଞ୍ଚିଗଲା, କିନ୍ତୁ ଘର ଭାଙ୍ଗିଗଲା । ରାଇରଙ୍ଗପୁରରୁ ଆସିଲା ବାତ୍ୟାର ବିକଳ ଚିତ୍ର । 

83

କନକ ବ୍ୟୁରୋ : ଓଡିଶା ଉପକୂଳରେ ବାତ୍ୟା ୟାସ ସ୍ଥଳଭାଗ ଛୁଇଁବା ପରେ ମୟୂରଭଞ୍ଜ ଦେଇ ଝାଡଖଣ୍ଡ ଗଲା । ପଶ୍ଚିମବଙ୍ଗର କେତେକ ଅଂଚଳରେ ବି ବାତ୍ୟାର ପ୍ରଭାବ ପଡିଛି । ୟାସ ପ୍ରଭାବରେ ମୟୂରଭଂଜ ଜିଲ୍ଲାରେ ଘଂଟା ପ୍ରତି ଶହେ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ଅନେକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଶତାଧିକ ଗଛ ଉପୁଡି ପଡିଛି । ରାଇରଙ୍ଗପୁର ଅଂଚଳରୁ ବାତ୍ୟା ଚାଲି ଯାଇଛି ହେଲେ ଛାପ ଛାଡି ଯାଇଛି ।

ବାତ୍ୟା ୟାସର ମୁକାବିଲା ପାଇଁ ପୁରା ପ୍ରସ୍ତୁତି କରିଥିଲା ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ । ମାଇକ ଯୋଗେ ସତର୍କ କରାଗଲା । ତଳିଆ ଅଞ୍ଚଳ ଓ କଚ୍ଚା ଘରୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଗଲା । ହେଲେ ବାତ୍ୟା ୟାସ ସ୍ଥଳଭାଗ ଅତିକ୍ରମ କରିବା ବେଳେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକରେ ବ୍ୟାପ କ୍ଷୟକ୍ଷତି କରି ଯାଇଛି । କୁସୁମୀ ଅଂଚଳରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା ।

ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ କାହ୍ନୁ ନଦୀରେ ବନ୍ୟା ଆଶଙ୍କା କରି ନଦୀକୂଳିଆ ଅଂଚଳରୁ ପ୍ରାୟ ୧ ହଜାର ୩ଶହ ଲୋକଙ୍କୁ ସ୍ଥାନାନ୍ତର କରି ୪୮ଟି ଆଶ୍ରୟସ୍ଥଳୀରେ ରଖାଗଲା । ଆଶ୍ରୟସ୍ଥଳୀରେ ରହିବାରୁ ଜୀବନ ସିନା ବଂଚିଗଲା, ଘରଦ୍ୱାର ସବୁ ଛାରଖାର କରିଦେଲା ବତ୍ୟା ଜନିତ ପବନ-ବର୍ଷା । ପବନରେ ଗଛ ଡାଳ ପଡି ଘର ଭାଙ୍ଗି ଯାଇଛି, ଲଗାଣ ବର୍ଷାରେ ଘର ଭୁଷୁଡି ପଡିଛି । ଆଉ ଏବେ ଉପରବେଡା ଗାଁର ପିଇବା ପାଣି ସମସ୍ୟା ଉକ୍ରଟ ହୋଇଛି ।

ତେବେ ବାତ୍ୟା ୟାସ ଯିବା ପର ଠାରୁ ପୁନରୁଦ୍ଧାର କାମ ଚାଲିଛି । ଅଗ୍ନିଶମ ଓ ବନବିଭାଗ ଟିମ୍ ଗଛ କାଟି ରାସ୍ତା ସଫା କରୁଛନ୍ତି । କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବା କୁସୁମୀ ବିଡିଓ ସୂଚନା ଦେଇଛନ୍ତି ।