କନକ ବ୍ୟୁରୋ: ଧୀରେ ଧୀରେ ସ୍ପଷ୍ଟ ହେବାରେ ବାତ୍ୟାର ସ୍ଥିତି, ଗତି ଓ ବେଗ । କେଉଁ ବାଟ ଦେଇ ଯିବ, ସେ ନେଇ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ନଜର ପକାନ୍ତୁ ବାତ୍ୟାର ଗତିପଥ ଉପରେ । ଯାହା ପୂର୍ବାନୁମାନ ହୋଇଛି, ସେଥିରୁ ଜଣାପଡିଛି, ଓଡ଼ିଶା ଛୁଇଁବ ନାହିଁ ବାତ୍ୟା, ଉପକୂଳ ସହ ସମାନ୍ତରାଳ ଭାବେ ଗତି କରିବ । ଗତିପଥ ଅନୁସାରେ ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁହେବ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୨ ତାରିଖରେ ଅବପାତର ରୂପ ନେବ । ଏହି ସମୟରେ ସମୁଦ୍ର ମଧ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ୨୩ ତାରିଖରେ ତୀବ୍ର ଅବପାତରେ ପରିଣତ ହେବ । ପବନର ବେଗ ବଢ଼ିବ । ଏହା ପରେ ରିକର୍ଭ ବା ଗତିପଥ ବଦଳିବ । ୨୪ ତାରିଖ ସକାଳେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର କେନ୍ଦ୍ରସ୍ଥଳରେ ଘଂଟା ପ୍ରତି ୬୫-୭୫ କିମି ବେଗରେ ପବନ ବହିପାରେ । ଯାହାର ଝଟକା ୮୫ କିମି ପର୍ଯ୍ୟନ୍ତ ହୋଇପାରେ । ସେହି ୨୪ ତାରିଖ ଅପରାହ୍ଣରେ ୧୦୦ କିଲୋମିଟର ବେଗରେ ପବନ ଝଟକା ଦେଇପାରେ । ସେହିପରି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଅକ୍ଟୋବର ୨୫ ତାରିଖ ଅପରାହ୍ଣରେ ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ୨୫ ତାରିଖ ସଂଧ୍ୟା ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହି ସମୟରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଯାହାର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଅକ୍ଟୋବର ୨୬ ତାରିଖ ସକାଳରୁ ବାତ୍ୟା ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବ । ତେବେ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିନପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ବାତ୍ୟା ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ପବନର ବିଶେଷ ପ୍ରଭାବ ପଡ଼ିନପାରେ । ତେବେ ୨୩ ତାରିଖରୁ ବର୍ଷା ହୋଇପାରେ । ସେଥିପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ୨୪ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି । ଏବଂ କେନ୍ଦୁଝର, ମୟୂରଭଂଜ, ଯାଜପୁର, ଖୋର୍ଦ୍ଧା, ପୁରୀ, ଗଂଜାମ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ୨୫ ତାରିଖ ପାଇଁ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି, ଓଡ଼ିଶାରେ ବିଶେଷ ପ୍ରଭାବ ପଡିବ ନାହିଁ । ତେଣୁ ଭୟଭୀତ ହୁଅନ୍ତୁ ନାହିଁ କି ଅଧିକ କିଣାକିଣି କରନ୍ତୁ ନାହିଁ । ତେବେ ଯେକୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର ।
Follow Us