ସାମୁଦ୍ରିକ ବାତ୍ୟା ‘ଫୋନି’କୁ ନେଇ ବଢୁଛି ଚିନ୍ତା । ୨ରୁ ଦକ୍ଷିଣ ଓଡିଶାରେ ଆରମ୍ଭ ହେବ ବର୍ଷା । ୩ ତାରିଖରୁ ଭିଜିବ ଉପକୂଳ ଓଡିଶା

377

କନକ ବ୍ୟୁରୋ: ଫୋନି ଓଡିଶା ପାଇଁ ଏବେ ଚିନ୍ତାର କାରଣ ହୋଇଛି । କାରଣ, ଏହି ବାତ୍ୟା ଯେଉଁ ରୂପ ଧାରଣ କରୁଛି ଏବଂ ଯୁଆଡେ ଗତି କରୁଛି, ତାର ମୁକାବିଲା ପାଇଁ ବ୍ୟାପକ ସ୍ତରରେ ପ୍ରସ୍ତୁତି କରାଯାଇଛି । ୧୭ ଜିଲ୍ଲା ପାଇଁ ରେଡ ଆଲର୍ଟଜାରି କରାଯାଇଛି । ୩ ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁବ । ସେତେବେଳେ ପବନର ବେଗ ଘଂଟା ପ୍ରତି ୧୮୦ ରୁ ୧୯୦ ରହିପାରେ । ଫୋନି ଆଜି ସନ୍ଧ୍ୟାରୁ ଓଡିଶାକୁ ମୁହାଁଇବା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ୨ ଶହ ମିଲିମିଟର ବର୍ଷା ସମ୍ଭାବନା ରହିଛି । ୨ ରୁ ଆରମ୍ଭ ହୋଇପାରେ ବର୍ଷା । ୩ରୁ ଉପକୂଳରେ ବର୍ଷା ହୋଇପାରେ । ସମୁଦ୍ରରେ ଦେଢ ମିଟର ଜୁଆର ଉଠିପାରେ ।

୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲିକପ୍ଟର ଓ ଅତିରିକ୍ତ ଏନଡିଆରଏଫ ଟିମ ମାଗିଛି ରାଜ୍ୟ । ଗଜପତି , ଗଞ୍ଜାମ, ପୁରୀ , ଖୋର୍ଧା, ନୟାଗଡ, କଟକ, ଜଗତସିଂହପୁର ଯାଜପୁର, ଭଦ୍ରକ , କେନ୍ଦ୍ରାପଡା, ବାଲେଶ୍ୱର, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରେ ବି ପ୍ରବଳ ବର୍ଷା ହୋଇପାରେ ।

ଅନ୍ୟପଟେ ଜିଲ୍ଲାପାଳମାନେ ମଧ୍ୟ ବ୍ଲକ ଓ ତହସିଲ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପ୍ରଭାବିତ ଆଶଙ୍କା ଥିଲା ଜିଲ୍ଲାମାନଙ୍କରେ ଥିବା ମୋଟ ୮୭୯ ବାତ୍ୟା ଆଶ୍ରୟ ଗୃହକୁ ପ୍ରସ୍ତୁତ କରି ରଖାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଯଦି ଆସନ୍ତା ୩ ତାରିଖରେ ବାତ୍ୟା ଫୋନି ଭୂଖଣ୍ଡ ଛୁଏଁ, ତେବେ ୨ ତାରିଖରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ଏହା ସହ ବାତ୍ୟାର ମୁକାବିଲା ପାଇଁ ମୁଣ୍ଡୁଲିଠାରେ ୧୨ ୟୁନିଟ ଏନଡିଆରଏଫ, ୨୦ ୟୁନିଟ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଦଳକୁ ପ୍ରସ୍ତୁତ କରି ରଖାଯାଇଛି ବୋଲି ସୂଚନା ମିଳିଛି ।