ଓଡିଶାକୁ ପାଖେଇ ଆସୁଛି ଅମ୍ଫାନ । ୧୮ କି.ମି ବେଗରେ ସ୍ଥଳଭାଗକୁ ମାଡି ଆସୁଛି ମହାବାତ୍ୟା । ଏସଆରସି କହିଲେ ଆଜି ରାତିରୁ ହଠାତ ବଢିପାରେ ପବନ, ଆଜି ରାତି ଭାରି ଗୁରୁତ୍ୱପୂର୍ଣ୍ଣ

1,437

କନକ ବ୍ୟୁରୋ: ଓଡିଶାକୁ ପାଖେଇ ଆସୁଛି ମହାବାତ୍ୟା । ୧୮ କି.ମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ । ଏବେ ପାରାଦୀପ ଠାରୁ ୩୫୦ କି.ମି ଦୂରରେ ଏବଂ ଦୀଘା ଠାରୁ ୫୧୦ କି.ମି ଦୂରରେ ଅଛି ଅମ୍ଫାନ । ତେବେ ୨୦ ତାରିଖ ଦିନ ଅପରାହ୍ନରେ ଏହା ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୬୫ରୁ ୧୮୫ କି.ମି ବେଗରେ ବହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ।

ତେବେ ବାତ୍ୟା ପାଖେଇ ଆସୁଥିବାରୁ ଏହା ପ୍ରଭାବରେ ଆଜି ସନ୍ଧ୍ୟାରୁ ଉପକୂଳ ଓଡିଶାରେ ବର୍ଷା, ପବନ ହେବ । ଭୋଗରାଇ, ତାଳସାରି ଅଞ୍ଚଳରେ କାଲି ପବନର ବେଗ ଅଧିକ ରହିବ । ପାଖାପାଖି ୧୦୦ରୁ ୧୧୦ କିମି ବେଗରେ ପବନ ବହିବା ସମ୍ଭାବନା । ତେବେ ବାତ୍ୟା ଓଡିଶା ଦେଇ ଗତି କଲା ବେଳେ ବାଲେଶ୍ୱର, ଭଦ୍ରକରେ ଅଧିକ ପ୍ରଭାବ ପକାଇବ ।

ସେପଟେ ବାତ୍ୟା ବୁଲୁବୁଲ ଯେଉଁ ଅଞ୍ଚଳରେ କ୍ଷତି କରିଥିଲା ସେହି ଅଞ୍ଚଳରେ ଅମ୍ଫନ ପ୍ରଭାବ ପକାଇବ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଚାଲିଛି । ଆଜି ରାତିରେ ବଢିପାରେ ପବନ । ଆଜି ମଧ୍ୟରାତିରୁ ପବନର ବେଗ ବଢିବ । ତେଣୁ ରାତି ୧୦ ସୁଦ୍ଧା ସମସ୍ତ ସ୍ଥାନାନ୍ତର କାମ ସରିବ । କାଲି ସକାଳେ ପ୍ରଭାବ ପଡିବ । ତେଣୁ ସମସ୍ତଙ୍କୁ ଅନୁରୋଧ ସମସ୍ତେ ଆଜି ରାତିକ ପାଇଁ ବାତ୍ୟା ଆଶ୍ରୟସ୍ଥଳୀକୁ ଆସନ୍ତୁ ବୋଲି ଏସଆରସି କହିଛନ୍ତି ।

ତେବେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଲା ବେଳେ ସାମାଜିକ ଦୂରତା ରଖି ରୁହନ୍ତୁ । କଚ୍ଚା ଘରେ ରହୁଥିବା ଲୋକ ଶୀଘ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସିବା ସହ ସାମାଜିକ ଦୂରତା ମାନିବାକୁ ଅନୁରୋଧ । ଏହାସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ ସମସ୍ତଙ୍କୁ ପରାମର୍ଶ ଦେଲେ ଏସଆରସି ।

ସେପଟେ ବାତ୍ୟା ବେଳେ ବୁଲିବା ମନା । ବାତ୍ୟାର ପ୍ରକୋପ ଦେଖିବାକୁ ବାହାରକୁ ଯୁବକମାନେ ନଯିବାକୁ ପରାମର୍ଶ । ବାତ୍ୟା ବେଳେ ଆମ୍ବ, ନଡିଆ ନଗୋଟାଇବାକୁ ମହିଳାମାନଙ୍କୁ ଅନୁରୋଧ କଲେ ଏସଆରସି । ମହାବାତ୍ୟା ମୁକାବିଲା ପାଇଁ ୩୧ଟି ଟିମ୍ ମୁତୟନ । ଓଡ୍ରାଫ ଟିମ୍- ୧୫, ଏନଡିଆରଏଫ- ୧୬, ଓଏଫଡିସି- ୭୫ ଏବଂ ଅଗ୍ନିଶମ ବିଭାଗ- ୨୧୭ଟି ଟିମ୍ ମୁତୟନ ଅଛନ୍ତି ।