ସମୁଦ୍ରରେ ଉଠିଲାଣି ବଡ ଜୁଆର, ବେଳାଭୂମି ଖାଲିକର । ଡାକବାଜି ଯନ୍ତ୍ର ସାହାଯ୍ୟରେ ପର୍ଯ୍ୟଟକଙ୍କୁ ହଟାଇଲା ପୋଲିସ ।

161

କନକ ବ୍ୟୁରୋ : ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ହେବାରେ ଲାଗିଛି ସମୁଦ୍ର । ଉଠୁଛି ବଡ ବଡ ଜୁଆର । ଫଳରେ ଲୋକଙ୍କୁ ବେଳାଭୂମିକୁ ନଯିବାକୁ ସତର୍କ କରାଉଛି ପ୍ରଶାସନ । ପୁରୀ ବେଳାଭୂମିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ଅସାନି ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ବେଳାଭୂମି ଉପରେ କଟକଣା ଲଗାଇଛି  । ଏହି ସମୟରେ କେହି ବେଳାଭୂମିକୁ ନଯିବାକୁ କୁହାଯାଇଛି । ସେପଟେ ପାରାଦୀପରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ପୁରୀ ଓ ପାରାଦୀପରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସେପଟେ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୨ ଦିନ ପାଇଁ ବେଳାଭୂମିକୁ ଆସିବାକୁ ବାରଣ କରିଛି ଗଂଜାମ ଜିଲ୍ଲା ପ୍ରଶାସନ ।

ଯଦିଓ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ, କିନ୍ତୁ ସତର୍କତା ଦୃଷ୍ଟିରୁ ପ୍ରଶାସନ ଲୋକଙ୍କ ପାଇଁ ଏହି କଟକଣା ଜାରି ରହିଛି । କଟକଣା ପରେ ବେଳାଭୂମିରେ ଲୋକଙ୍କ ସମାଗମ ମଧ୍ୟ କମିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିଥିବାରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଅନ୍ୟପଟେ ବାତ୍ୟା ଅସାନିକୁ ପୂର୍ବାନୁମାନ କରିବା ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର  ଆକଳନ କରାଯାଉଛି । କେତେବେଳେ ଏହା ବିଶାଖାପାଟନମରେ ଆଂଶିକ ଭାବେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଥିବାବେଳେ, ଆଇଏମଡି କିନ୍ତୁ କହୁଛି ଏହା ଉତର-ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳର ସମାନ୍ତରାଳ ଗତିପଥରେ ଚାଲିବ । ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି ଡଟ୍ କମ୍ ମଧ୍ୟ ବାରମ୍ବାର ଏହାର ପୂର୍ବାନୁମାନକୁ ବଦଳାଉଛି । ଅନେକ ସମୟରେ ବାତ୍ୟାର ପୂର୍ବାନୁମାନରେ ପରିବର୍ତନ ହୁଏ କିନ୍ତୁ ଏହି ଅସାନି ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀଙ୍କ ମଧ୍ୟରେ ଅଧିକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ।