ଆସନ୍ତା ୧୦ରେ ବଡ଼ ଧରଣର ବର୍ଷା, ପବନ ସମ୍ଭାବନା କମ୍-ଆଇଏମଡି

634

କନକ ବ୍ୟୁରୋ: ଆସନ୍ତା ୧୦ ତାରିଖ ଦିନ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳଠାରୁ ୨୦୦ରୁ ୩୦୦ କିଲୋମିଟର ଦୂରରେ ରହିଥିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖ ଦିନ ବର୍ଷା ହେବ । କିନ୍ତୁ ବଡ଼ ଧରଣର ବର୍ଷା, ପବନ ସମ୍ଭାବନା କମ୍ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥି ସହ କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ ଓ ଉତର ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ । କାଲି ଘଂଟା ପ୍ରତି ୫୫ରୁ ୬୫ କି.ମି. ବେଗରେ ପବନ ବହିପାରେ । ଯାହାର ଝଟକା ୭୫ କି.ମି ପର୍ଯ୍ୟନ୍ତ ହୋଇପାରେ । ୯ ତାରିଖରେ ଘଂଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ ।