ତିତିଲିକୁ ବର୍ଷେ । ଓଡିଶା ଦେଖିଥିଲା କାଳ ରାତିର କରାଳ ରୂପ । ଆଜି ବି ଅକ୍ଟୋବର ୧୦କୁ ମନେ ପକାଇ ଗୁମୁରୁ ଗୁମୁରି କାନ୍ଦୁଛି ମହେନ୍ଦ୍ରଗିରି ପାହାଡ ଉପର ଗାଁ ।

368

କନକ ବ୍ୟୁରୋ : ସେହି କାଳ ରାତ୍ରୀ, ଯାହାକୁ ପୁରୁଛି ୧ ବର୍ଷ । ଆଜି ସେହି ଅକ୍ଟୋବର ୧୦ ତାରିଖ, ଯେଉଁ ଦିନ ବିଳମ୍ବିତ ରାତିରେ ତାଣ୍ଡବ ରଚିଥିଲା ବାତ୍ୟା ତିତିଲି । ଆଉ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲା । ତିତିଲିର ବର୍ଷେ ପରେ କେମିତି ଅଛି ପ୍ରଭାବିତ ଅଂଚଳ ? ସରକାର ଦେଇଥିବା ପ୍ରତିଶ୍ରୁତି କେତେ ମାତ୍ରାରେ ପାଳନ ହୋଇଛି ? ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ।

୨୦୧୮ ଅକ୍ଟୋବର ୧୦ । ସ୍ଥାନ-ଗଜପତି ମହେନ୍ଦ୍ରଗିରି ପାହାଡ । ତାଣ୍ଡବ କରୁଥିଲା ତିତିଲି । ଆଜିକୁ ଠିକ୍ ବର୍ଷେ ତଳେ ପ୍ରକୃତି ରଚିଥିବା ତାଣ୍ଡବ କଥା ମନେ ପଡିଲେ ଆଖିରେ ଲୁହ ଜକେଇ ଆସୁଛି । ପ୍ରଳୟଙ୍କରୀ ତିତିଲି କଥା କହିବା ବେଳକୁ ଲୋମ ଟାଙ୍କୁରି ଉଠୁଛି । କାଳ ରାତିରେ ଭୟଙ୍କର ରୂପ ନେଇ ମାଡି ଆସିଥିଲା ଶହ ଶହ ବେଗରେ ପବନ । ଗଜପତି ଜିଲ୍ଲାର ରାୟଗଡ ବ୍ଲକ ମହେନ୍ଦ୍ରଗିରି ପାହାଡ ଉପରେ ଅବସ୍ଥିତ ଗାଁକୁ ଛାରଖାର କରିଦେଇଥିଲା ବାତ୍ୟା ତିତିଲି ।

ପବନ ସାଙ୍ଗକୁ ବାଦଲ ଫଟା ବର୍ଷାରେ ଘରଦ୍ୱାର ଭାଙ୍ଗି ଯିବା ପରେ ଲୋକେ ମହେନ୍ଦ୍ରଗିରି ପାହାଡର ଗୁମ୍ଫାରେ ଆଶ୍ରୟ ନେଇଥିଲେ । ହେଲେ ପ୍ରକୃତିର ଦାଉରୁ ବର୍ତ୍ତି ପାରିନଥିଲା ସେହି ସବୁ ଗୁମ୍ଫା । ପ୍ରବଳ ବର୍ଷା ଯୋଗୁଁ ଝରଣା ସବୁ ନଦୀ ପାଲଟି ତଳକୁ ବହିବାକୁ ଲାଗିଲେ, ଆଉ ଗୁମ୍ଫା ସବୁ ଧସିବାକୁ ଲାଗିଲା । ପାହାଡ ଧସି, ପଥର ତଳେ ଚାପି ହୋଇ ଓ ପାଣି ସ୍ରୋତରେ ଭାସି ଯାଇ ଅନେକଙ୍କ ମୃତ୍ୟୁ ହୋଇଥିଲା । ଘରଦ୍ୱାର ଉଜୁଡି ଯାଇଥିବା ବେଳେ ଅକ୍ଟୋବର ୧୦, ୨୦୧୮ ଅନେକଙ୍କୁ ଅନାଥ କରିଦେଇଥିଲା । ମହେନ୍ଦ୍ରଗିରିର ଭୌଗଳିକ ସ୍ଥିତିକୁ ବଦଳାଇ ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ତିତିଲି ।

ତିତିଲିର ବର୍ଷେ ପରେ କେମିତି ଅଛି ପ୍ରଭାବିତ ଅଂଚଳ ? ଆଉ ପ୍ରଶ୍ନ ଉଠୁଛି, କେତେ ମାତ୍ରାରେ ପହଂଚିଛି ସରକାରୀ ଯୋଜନା ? ବାତ୍ୟା ତିତିଲିକୁ ସାମ୍ନା କରି ଖିନଭିନ୍ ହୋଇଯାଇଥିବା ରାୟଗଡ ବ୍ଲକ ଗଙ୍ଗାବାଡ ଓ କଇଁପୁର ପଂଚାୟତର ସ୍ଥିତି ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ଧିରେ ଧିରେ ପୁଣି ଅଂଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି ଝଡ ମାଡରେ ଭାଙ୍ଗି ପଡିଥିବା ପ୍ରଭାବିତ ଅଂଚଳ । ସମସ୍ତ ୪୮ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ୧୧ ଜଣ ଅନାଥ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଲାଳନ ପାଳନ କରାଯାଉଛି ।

ବାସହରା ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଲୋକଙ୍କୁ ପାହାଡ ଉପରୁ ଆଣି ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି । କଇଁପୁର ପଂଚାୟତର ମାଡା, ମାଡବା ଓ ଗଙ୍ଗାବାଡ ପଂଚାୟତର ବାରଘର, ଗୁରୁଙ୍ଗି ଗାଁର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି । ପ୍ରାଥମିକ ପର୍ଯ୍ୟାୟରେ ସୋଲାର ଲାଇଟ୍ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଗ୍ରାମବାସୀଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି ସରକାର । ତଥାପି ବିକଶିତ ହେବା ପାଇଁ ଏବେ ବି ଅନେକ କାର୍ଯ୍ୟ ବାକି ରହିଛି ।