ଘଂଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଆଡ଼କୁ ମାଡ଼ି ଚାଲିଛି ତାଉ-ତେ : ଅତିଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ହେଉଛି ଉପକୂଳ ମୁହାଁ

ଆଜି ରାତି ୧୨ଟା ସୁଧା ପୋର ବନ୍ଦର ଓ ମହୁଭା ମଝିରେ ସ୍ଥଳ ଭାଗରେ ହେବ ମାଡ଼

1,775

କନକ ବ୍ୟୁରୋ : ଅତ୍ୟନ୍ତ ପ୍ରବଳ ବାତ୍ୟା ଆକାରରେ ଗୁଜରାଟ ଆଡକୁ ମାଡିଚାଲିଛି ତାଉ-ତେ । ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ସମୁଦ୍ର ମଧ୍ୟରେ ବାତ୍ୟାର କେନ୍ଦ୍ରସ୍ଥଳ ନିକଟରେ ପବନର ବେଗ ଘଂଟାପ୍ରତି ୧୮୦ରୁ ୧୯୦ କିଲୋମିଟର ରହିଛି । ସମୟ ସମୟରେ ଏହା ୨୧୦ କିଲୋମିଟରରେ ପହଂଚି ଯାଉଛି ।

ବର୍ତମାନ ବାତ୍ୟା ତାଉ-ତେ ମୁମ୍ବାଇର ୧୬୦ କିଲୋମିଟର ପଶ୍ଚିମକୁ ଆରବ ସାଗରରେ ରହିଛି । କିନ୍ତୁ ଏହାର ପ୍ରଭାରରେ ମୁମ୍ବାଇ ସମେତ ଉପକୂଳ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି । ପବନର ବେଗ ମଧ୍ୟ ଘଂଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ବହୁଛି । ଏହା ଧିରେଧିରେ ଉତର ଦିଗକୁ ଗତିକରି ଆଜି ସଂଧ୍ୟା ସୁଦ୍ଧା ଗୁଜରାଟ ସୌରାଷ୍ଟ୍ର ଉପକୂଳରେ ପହଂଚିବ ।

ସେହିପରି ରାତି ୮ଟାରୁ ୧୧ଟା ମଧ୍ୟରେ ଡିଉର ଡାହାଣ ପାଶ୍ୱରେ ସୌରାଷ୍ଟ୍ର ଉପକୂଳରେ ସ୍ଥଳଭାଗକୁ ଛୁଇଁବ । ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ସର୍ବାଧିକ ୧୮୫ କିଲୋମିଟର ରହିପାରେ । ଏହାର ପ୍ରଭାବରେ ଦକ୍ଷିଣ ଗୁଜରାଟର ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ ବର୍ଷାର ପରିମାଣ ଧିରେଧିରେ ବୃଦ୍ଧି ପାଇବ । ଏପରିକି ୨ଦିନ ଧରି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବତ୍ୟା ପ୍ରଭାବରେ ବଡବଡ ଗଛ, ବିତ୍ୟୁତ ଖୁଂଟ ଉପୁଡିବା ସହ ଟିଣଛପର ଘର ଓ ପୁରୁଣା କୋଠା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।