ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ଭୟଙ୍କର ରୂପନେବ ସାମୁଦ୍ରିକ ଝଡ ତୌକତ । ୬ ରାଜ୍ୟରେ ନିୟୋଜିତ ହେଲେ ଉଦ୍ଧାରକାରୀ ଦଳ

195

କନକ ବ୍ୟୁରୋ : ସାମୁଦ୍ରିକ ଝଡ ତୌକତ ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଏହି ଝଡ ଗୁଜୁରାଟ ଉପକୂଳରେ ମେ ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ପହଂଚିବ ବୋଲି ପୂର୍ବାନୁମାନ କରିଛି । ସାମୁଦ୍ରିକ ଝଡ ତୌକାତ ମେ ୧୮ ତାରିଖ ସକାଳେ ଗୁଜୁରାଟର ପୋରବନ୍ଦର ଓ ମହୁଆ ମଧ୍ୟ ଦେଇ ଅତିକ୍ରମ କରିବ । ଏହି ସମୟରେ ଏହାର ବେଗ ଘଂଟାପ୍ରତି ୧୭୫ କିଲୋମିଟର ରହିପାରେ ବୋଲି କୁହାଯାଇଛି । ଗୁଜୁରାଟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହି ସମୟରେ ପ୍ରବଳ ବର୍ଷାର ହେବ ବୋଲି ଅନୁମାନ କରାଯାଇଛି ।

ସାମୁଦ୍ରିକ ଝଡ ତୌକାତର ଭୟଙ୍କର ରୂପକୁ ନଜରରେ ରଖି ୬ ଟି ରାଜ୍ୟରେ ଏନଡିଆରଏଫ୍ ର ୪୨ ଟି ଟିମ୍ ନିୟୋଜିତ କରାଯାଇଛି । ସେମାନେ ଡଙ୍ଗା ସଜାଡିବା, ଗଛ କାଟିବା, ଦୂରସଂଚାର ଉପକରଣ ଆଦି ସାଙ୍ଗରେ ନେଇ ପ୍ରହରା ଦେଉଛନ୍ତି । ଏହାସହ ତୁରନ୍ତ ଆବଶ୍ୟକତା ପାଇଁ ୨୬ ଟି ଟିମ୍ କୁ ପ୍ରସ୍ତୁତ କରି ରଖାଯାଇଛି । ଅନ୍ୟପଟେ ନୌସେନା ତରଫରୁ ଉଦ୍ଧାର, ଖୋଜା ଖୋଜି କାର୍ଯ୍ୟ ପାଇଁ ଜଳ ଜାହଜ ଉପରେ ହେଲିକ୍ୟାପ୍ଟର ପ୍ରସ୍ତୁତ କରି ରହିଛନ୍ତି । ସେନା ତରଫରୁ ବାୟୁସେନା ଓ ଇଂଜିନିୟର କର୍ମଚାରୀଙ୍କୁ ଡକା ଯାଇଛି ।

ସେପଟେ ପଶ୍ଚିମ ରେଳ ବିଭାଗ ପକ୍ଷରୁ ଗୁଜୁରାଟର ତଟୀୟ ଅଞ୍ଚଳ ଦେଇ ଯା ଆସ କରୁଥିବା ୫୬ ଟି ରେଳକୁ ମେ ୧୭ ଓ ୧୮ ତାରିଖ ପାଇଁ ରଦ୍ଦ କରିଛି । ଏହାସହ ଗୃହମନ୍ତ୍ରଣାଳୟ ତରଫରୁ ଉତ୍ତର-ପଶ୍ଚିମ ଆରବ ସାଗର ଓ ଗୁଜୁରାଟ ଉପକୂଳରେ ମତ୍ସ୍ୟ ଧରାଳୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରିଛି । ଅନ୍ୟପଟେ ଯେଉଁ ଯେଉଁ ଅଞ୍ଚଳରେ ତୌକାତର ସମ୍ଭାବନା ରହିଛି ସେହି ଅଞ୍ଚଳ ମାନଙ୍କରେ ଥିବା କୋଭିଡ ହସ୍ପିଟାଲରେ ବିଦ୍ୟୁତ, ଔଷଧର ବନ୍ଦୋବସ୍ତ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ।