ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବାତ୍ୟା ତଉକତେ । କେରଳ ଠାରୁ ଗୁଜୁରାଟ ଯାଏଁ ପ୍ରବଳ ବର୍ଷିବ । 

540

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହା ଆସନ୍ତାକାଲି ଅର୍ଥାତ୍ ମେ ୧୫ ତାରିଖରେ ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି ।

ଆଇଏମଡି ବୁଲେଟିନରେ କୁହାଯ଼ାଇଛି ଯ଼େ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ସକାଳ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ବାତ୍ୟା ଓ ୧୭ ତାରିଖ ବେଳକୁ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ଓ କେତେକ ସମୟରେ ଏହା ୧୭୫ କିଲୋମିଟର ଟପିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯ଼ାଇଛି ।

ଏହି ବାତ୍ୟା ପ୍ରଭାବରେ କେରଳ, କର୍ଣ୍ଣାଟକ, ଗୋଆ, ଲାକ୍ଷାଦ୍ୱୀପ, ମହାରାଷ୍ଟ୍ର ଓ ଗୁଜୁରାଟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯ଼ିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯ଼ାଇଛି । ସୂଚନାଯ଼ୋଗ୍ୟ ଯ଼େ, ମିଆଁମାର ପକ୍ଷରୁ ଏହି ସମ୍ଭାବ୍ୟ ବାତ୍ୟାର ନାମ ତଉକତେ ରଖାଯ଼ାଇଛି ।

Comments are closed.