ଅତି ଭୀଷଣ ରୂପ ନେଉଛି ତାଉ-ତେ : କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ପରେ ଗୁଜରାଟ ମୁହାଁ ବାତ୍ୟା; ଆସନ୍ତାକାଲି ଛୁଇଁପାରେ ସ୍ଥଳଭାଗ

ଉଦ୍ଧାର କାର୍ଯ୍ୟ ପାଇଁ ଗୁଜରାଟ ଉପକୂଳରେ ମୁତୟନ ହେଲେ ଓଡ଼ିଶାରୁ ଯାଇଥିବା ୫ଟି ଟିମ୍

133

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତାଉ-ତେ ଧୀରେ ଧୀରେ ଗୁଜରାଟ ଆଡକୁ ଗତିକରୁଛି । ଆସନ୍ତାକାଲି ଏହା ଗୁଜରାଟରେ ସ୍ଥଳଭାଗକୁ ସ୍ପର୍ଶ କରିବ । ଏହି ସମୟ ପବନରେ ବେଗ ଘଂଟା ପ୍ରତି ୧୭୫ କିଲୋମିଟର ହେବା ଆଶଙ୍କା କରାଯାଉଛି । ସଂଭାବ୍ୟ ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୬ ରାଜ୍ୟ ସହିତ ଆଲୋଚନା କରିଛନ୍ତି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ଗୋଆ ଓ କର୍ଣ୍ଣାଟକରେ ପ୍ରବଳବର୍ଷା ଓ ଝଡତୋଫାନ ଦେଖିବାକୁ ମିଳିଛି । କର୍ଣ୍ଣାଟକ, କେରଳ ଓ ଗୋଆ ଉପକୂଳରେ ତାଣ୍ଡବ ରଚିଛି । ୬ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇବା ସହ ଅନେକ କ୍ଷତି ହୋଇଛି ।

ଦେଶର ୬ ରାଜ୍ୟ ଯାହା ପ୍ରତି ବର୍ତମାନ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତାଉ-ତେ ବଡ ବିପଦ ସୃଷ୍ଟି କରିଛି । ପଶ୍ଚିମ ଉପକୂଳରେ ଥିବା ରାଜ୍ୟ ମଧ୍ୟରୁ ବର୍ତମାନ ସାମୁଦ୍ରିକ ବାତ୍ୟା ତାଉ-ତେ କର୍ଣ୍ଣାଟକ, ଗୋଆ, ତାମିଲନାଡୁରେ ଅଧିକ ପ୍ରଭାବ ପକାଇ ସାରିଲାଣି । ଧୀରେ ଧୀରେ ଏବେ ସାଂଘାତିକ ରୂପ ଧାରଣ କରୁଛି ବାତ୍ୟା । ଅଧିକ ଶକ୍ତିଶାଳୀ ହୋଇ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଉତର ଦିଗରେ ଘଂଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ଆଗାମୀ ୧୨ ଘଂଟା ମଧ୍ୟରେ ବାତ୍ୟା ଆହୁରି ଘନୀଭୂତ ହେବ । ବର୍ତମାନ ଏହା ଗୋଆର ପାନାଜୀ ଠାରୁ ଦେଢଶହ କିଲୋମିଟର ଦୂରରେ ରହିଛି ବାତ୍ୟା ।

ଆସନ୍ତାକାଲି ଦିନ ସାଢେ ୧୧ଟା ସୁଦ୍ଧା ଗୁଜରାଟ ଭାବନଗର ଜିଲ୍ଲାରେ ସ୍ଥଳଭାଗରେ ମାଡ ହୋଇପାରେ ସାମୁଦ୍ରିକ ବାତ୍ୟା ତାଉ-ତେ । ଏହା ଆଗରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତନ ବି ଦେଖିବାକୁ ମିଳିଲାଣି । ଗୋଆ, ଗୁଜରାଟ, ମୁମ୍ବାଇ, କେରଳ ଓ କର୍ଣ୍ଣାଟକର ଅନେକ ସ୍ଥାନରେ ବର୍ଷା, ପବନ ପରେ ବହୁ ପରିମାଣରେ ଗଛ ଓ ବିଜୁଳି ଖୁଂଟ ଉପୁଡି ପଡିଛି । କର୍ଣ୍ଣାଟକରେ ୭୩ ଗାଁ ପ୍ରଭାବିତ, ୪ ଜଣଙ୍କ ମୃତ୍ୟୁ ସୂଚନା । ସେପଟେ ମୁମ୍ୱାଇ ଉପକୂଳରେ ଜାରି ହୋଇଛି ରେଡ୍ ଆଲର୍ଟ ।

ଏହି ୬ ରାଜ୍ୟରେ ବାତ୍ୟାର ସମ୍ଭାବ୍ୟ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶନିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରବିବାର ଶାହା ବାତ୍ୟା ସ୍ଥିତିକୁ ନେଇ କଥା ହୋଇଛନ୍ତି । ଆସନ୍ତାକାଲି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଂଟା ପ୍ରତି ୧୫୦ରୁ ୧୭୫ କିଲୋମିଟର ଯାଏଁ ପହଂଚିଯିବ ବୋଲି ଆଇଏମଡିର ଆକଳନ ପରେ ବଢି ଯାଇଛି ଚିନ୍ତା ।