ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ: ୧୨ ଘଂଟା ମଧ୍ୟରେ ନେବ ଲଘୁଚାପରେ ରୂପ; ପ୍ରଭାବରେ ୮ରୁ ବର୍ଷା ସମ୍ଭାବନା

ଉତ୍ତର ପଶ୍ଚିମ ଦିଗକୁ ଗତିକରି ନେଇପାରେ ଅବପାତର ରୂପ

1,329

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ଏହା କ୍ରମଃ ପଶ୍ଚିମ-ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେଇପାରେ । ଏହାପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାଛଡା ୮ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ତେବେ ବାତ୍ୟା ସମ୍ପର୍ତିକ କୌଣସି ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସେପଟେ ୬ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ିବ । ଏଭଳି ଆକଳନ କରିଛି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ସେଂଟର ଫର ଓସେନ ଇନଫର୍ମେସନ ସର୍ଭିସ ।

ଅତି ଆଗକୁ ଯାଇ ପବନର ବେଗ ସମ୍ପର୍କରେ ସୂଚାଇଛି ଏହି ସଂସ୍ଥା । ବାତ୍ୟା ରୂପ ନେବା ଆଶଙ୍କାଙ୍କୁ ମଧ୍ୟ ଏଡାଇ ଦେଇ ହେବ ନାହିଁ ବୋଲି ସୂଚାଇଛି । ଯାହାବି ହେଉ ଯଦି ବାତ୍ୟା କିମ୍ବା ବର୍ଷା ହୁଏ ତେବେ ଏହା ଚାଷକୁ ବ୍ୟାପକ ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି । ଧାନ ଫସଲ ଓ ପରିବା ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇପାରେ ।