ବାଂଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ସିତ୍ରାଙ୍ଗ୍’ : ପ୍ରବଳ ବର୍ଷା, ପବନ ଯୋଗୁଁ ୫ ଜଣଙ୍କର ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

318

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି । ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲିି ମଧ୍ୟ ରାତି ଏବଂ ଆଜି ଭୋର ମଧ୍ୟରେ ବାଂଲାଦେଶରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ନେଇ ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା, ସେଥିରୁ ଓହରି ଯାଇଛି ଆଇଏମଡି । ଆଜି ବାତ୍ୟା ଦୁର୍ବଳ ହେବା ସମ୍ଭାବନା ରହିଛି । ଆଜି ସକାଳେ ସାମୁଦ୍ରିକ ଝଡ଼ରୁ ତୀବ୍ର ଅବପାତ ଏବଂ ସଂଧ୍ୟାରେ ଏହା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି ।

ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ଉପରୁ ବିପଦ ଟଳି ଯାଇଛି । ତେବେ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି । ତେଣୁ ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ପବନର ବେଗ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।