ବଳ ଗୋଟାଇ ଆସିବ ବାତ୍ୟା : ପାଣିପାଗ ବିଜ୍ଞାନୀଙ୍କ ଆକଳନ, ଦୁଇଟି ଲଘୁଚାପ ମିଶି ବଢାଇବେ ଶକ୍ତି

ଦଶହରା ପରେ ପରେ ଉପକୁଳରେ ମାଡ ହେବା ନେଇ ପୁର୍ବାନୁମାନ

408

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ପଛକୁ ପଛ ଦୁଇଟି ଲଘୁଚାପ । ଅକ୍ଟୋବର ଦ୍ବିତୀୟ ସପ୍ତାହ ତଥା ଆସନ୍ତା ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବ କିଭଳି ରହିବ ଏବଂ କେଉଁ ଆଡ଼େ ଗତି କରିବ, ସେନେଇ ସ୍ପଷ୍ଟ ଚିତ୍ର ମିଳି ନ ଥିଲେ ମଧ୍ୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳ ଭାଗକୁ ସ୍ପର୍ଶ କରିବାର ସମ୍ଭାବନା ଅଧିକ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାରମ୍ଭିକ ଆକଳନ କରାଯାଇଛି । ତେବେ ଏହା କେଉଁ ରୂପ ନେଇ ସ୍ଥଳ ଭାଗ ସ୍ପର୍ଶ କରିବ, ସେନେଇ କୌଣସି ଆକଳନ କରାଯାଇନାହିଁ ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଅଧିକ ଘନୀଭୂତ ହେବନାହିଁ । ୧୦ରୁ ୧୧ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ। ପ୍ରଭାବରେ ୧୪ ଓ ୧୫ତାରିଖରେ ପୁରୀଠାରୁ ଦକ୍ଷିଣକୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ୧୬ ତାରିଖରେ ବର୍ଷା ପରିମାଣ ବଢ଼ିବ । ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ ୧୭ରେ ଅବପାତ ଦୁର୍ବଳ ହେବା ସହ ବର୍ଷା ପରିମାଣ କମିଯିବ । ତେବେ ବିଭିନ୍ନ ଆନ୍ତର୍ଜାତୀୟ ମଡେଲ୍‌ର ଆକଳନ ଅନୁଯାୟୀ ୧୪ରେ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଯାହାକି ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅଧିକ ଘନୀଭୂତ ହେବା ସହ ୧୬ ତାରିଖରେ ଅବପାତରେ ପରିଣତ ହେବ । ଏହା ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ନଦୀଘାଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆଡ଼କୁ ମୁହାଁଇ ୧୮ କିମ୍ବା ୧୯ତାରିଖ ବେଳକୁ ସ୍ଥଳଭାଗ‌ ଛୁଇଁବାର ସମ୍ଭାବନା ରହିଛି । ଯଦି ଏହା ସୃଷ୍ଟି ହୁଏ, ତେବେ ପ୍ରଥମ ଲଘୁଚାପଟି ଦୁର୍ବଳ ରହିବ। ବାତ୍ୟା ରୂପ ନେବାର ସମ୍ଭାବନା କ୍ଷୀଣ ରହିଛି ।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିଜର ପୂର୍ବ ଆକଳନରେ ସ୍ଥିର ରହିଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଲଗୁଚାପବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ଚିହ୍ନିତ ଲଘୁଚାପ ବଳୟରେ ପରିଣତ ହୋଇପାରେ । ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୪ରୁ ୫ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୪ କିମ୍ବା ୧୫ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳମୁହାଁ ହେବ । ଲଘୁଚାପବଳୟ ସୃଷ୍ଟି ହେବା ପରେ ଏହାର ଗତି ଉପରେ ସ୍ପଷ୍ଟ ଭାବେ କୁହାଯାଇପାରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସେଭଳି ବଡ଼ ବର୍ଷା ନାହିଁ । ଗତ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରଠାରେ ସର୍ବାଧିକ ୨୨.୦ ମିମି ବର୍ଷା ରେକର୍ଡ ହୋଇଛି ।