କୋଭିଡ ସମୟରେ ବାତ୍ୟା ମୁକାବିଲା ପାଇଁ ଓଡିଶାର ବଡ ଧରଣର ପ୍ରସ୍ତୁତି । ମୁତୟନ ହେବେ ୫୨ ଏନଡିଆରଏଫ ଟିମ୍ । ୬୦ ଓଡ୍ରାଫ୍ ଓ ୨ଶହ ଅଗ୍ନିଶମ ଟିମ୍ ସହ ଆଇଏନଏସ୍ ଚିଲିକାକୁ ରଖାଗଲା ସଜାଗ୍ 

246

କନକ ବ୍ୟୁରୋ: ବିପଦ ବସତି ଆଡକୁ ମାଡ଼ି ଆସୁଛି, ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ଏନଡିଆରଏଫ ଟିମ୍ ରାଜଧାନୀ ଭୁବନେଶ୍ୱରରେ ପହଂଚିବା ପରେ ଗ୍ରାଉଣ୍ଡ ଜିରୋ ଅଭିମୁଖେ ବାହାରି ଯାଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ସମସ୍ତ ଉପକରଣ ଧରି ସର୍ବାଧିକ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା ଗୁଡ଼ିକର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ଓଡ଼ିଶାରେ ନିୟୋଜିତ ରହିବେ ୫୨ଟି ଏନଡିଆରଏଫ ଟିମ୍ । ୩୨ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୨୦ଟି ପର୍ଯ୍ୟାୟକ୍ରମେ ଯୋଗ ଦେବେ । ସେହିପରି ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ୧୦୦ରୁ ଅଧିକ ଏନଡିଆରଏଫ ଟିମ୍ ପ୍ରସ୍ତୁତ ଅଛନ୍ତି ।

ଏହାରି ଭିତରେ ବାତ୍ୟା ରିଲିଫ୍ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ରହିଛି । ସର୍ବାଧିକ ପ୍ରଭାବିତ ଜିଲ୍ଲା ଗୁଡ଼ିକ ପାଇଁ ୫ ଜଣ ଆଇଏଏସ୍ ଏବଂ ୫ ଜଣ ଆଇପିଏସ୍ଙ୍କ ଦାୟିତ୍ୱ ଦିଆଯାଇଛି । ୬୦ଟି  ଓଡ୍ରାଫ୍ ଟିମ୍ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ୨୦୦ଟି ଅଗ୍ନିଶମ ଟିମ୍, ୩୫ଟି ଗଛକଟା ଟିମ୍, ୧୬୫ଟି ଇଂଜିନିୟରିଂ ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଏପଟେ ବାତ୍ୟା ସ୍ଥିତିକୁ ନଜରରେ ରଖି ଶକ୍ତି ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକ ସହ  ଭୁବନେଶ୍ୱରରେ କଂଟ୍ରୋଲ ରୁମ୍ର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ଅଂଚଳ ଗୁଡ଼ିକ ଉପରେ ନଜର ରଖାଯାଇଛି । ବିଭାଗ ପକ୍ଷରୁ ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଥିବା ବେଳେ ବିଦ୍ୟୁତ ସରଞ୍ଜମା ପ୍ରସ୍ତୁତ ରହିଛି ।

ବାତ୍ୟା ସମୟରେ ଏବଂ ପରେ ସଂଭାବ୍ୟ ବର୍ଷାକୁ ନଜରରେ ରଖି ପ୍ରସ୍ତୁତି ରହିଛି ଜଳ ସମ୍ପଦ ବିଭାଗ । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ପ୍ରସ୍ତୁତ ରହିଛି । ତଳିଆ ଅଂଚଳରେ ବର୍ଷା ଜଳ ଜମିବାର ଆଶଙ୍କା ଥିବାରୁ ସେଥିପ୍ରତି ବିଶେଷ ଧ୍ୟାନ ରଖାଯାଇଛି । ଓଡ଼ିଶା ଓଡ଼ିଶାର ବିଭିନ୍ନ ଡ୍ୟାମ ଉପରେ ନଜର ରଖିଛି ବିଭାଗ । ଜିଲ୍ଲା ସ୍ତରର ଠିକାଦାରମାନଙ୍କ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି ।

କରୋନା ସମୟରେ ବାତ୍ୟା ସଂକଟ, ସ୍ୱାସ୍ଥ୍ୟ ବିଭାଗର ଚ୍ୟାଲେଂଜକୁ ସବୁଠୁ ଅଧିକ ବଢ଼ାଇ ଦେଇଛି । କାରଣ, ରୋଗୀମାନେ କୋଭିଡ୍ ହସ୍ପିଟାଲରେ ଥିବା ବେଳେ ସେମାନଙ୍କ ଚିକିତ୍ସା ଏବଂ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ବିଭାଗ ପାଇଁ ବଡ଼ ଆହ୍ୱାନ ପାଲଟିଛି ।