କନକ ବ୍ୟୁରୋ : ସାମୁଦ୍ରିକ ଝଡ଼ ‘ପେଥାଇ’ ସ୍ଥଳ ଭାଗ ଛୁଇଁବା ପରେ ଦୁର୍ବଳ ହେଉଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ। ଗଞ୍ଜାମ, ପୁରୀ, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମଙ୍ଗଳବାର ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତନ ଆସିବ। ଏହାପରେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।
ଅନ୍ୟପକ୍ଷରେ ‘ପେଥାଇ’ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗିରହିଛି। ଆଉ କିଛି ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାରୁ ଲୋକେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ଗଜପତି ଓ ନୂଆପଡ଼ା ଜିଲ୍ଲାର ୧୩ ହଜାର ୪୬୭ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥାଳକୁ ସ୍ଥାନାନ୍ତର କରାଯାଇଛି। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ମଙ୍ଗଳବାର ବର୍ଷା ଛାଡ଼ିବା ପରେ ପୁଣିଥରେ ଶୀତ ଲେଉଟିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଘୂର୍ଣ୍ଣିଝଡ଼ ଦୁର୍ବଳ ହେଉଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଓ ପୁରୀରେ ପ୍ରବଳ ବର୍ଷା ହେବ। ୧୮ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଶୀତର ପ୍ରକୋପ ବଢ଼ିବ।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରରେ ସର୍ବାଧିକ ୬ ସେମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଲାଞ୍ଜିଗଡ଼, ଭବାନୀପାଟଣା ଓ ଧର୍ମଗଡ଼ରେ ୪ ସେମି, ନର୍ଲା, କାଶିନଗର ଓ ଜୁନାଗଡ଼ରେ ୩ ସେମି ଲେଖାଏ ବର୍ଷା ହୋଇଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା କେତେକ ଟ୍ରେନକୁ ବିଶାଖାପାଟଣା, ପଲାସା ଓ ବିଜୟନଗରମ୍ ନିକଟରେ ନିୟନ୍ତ୍ରଣ କରାଯାଇଛି। ଆଉ କେତେକ ଟ୍ରେନର ସମୟରେ ପରିବର୍ତନ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/Cyclone-Petha-kMnF-621x414@LiveMint.jpg)