ସାମୁଦ୍ରିକ ଝଡ଼ର ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଉଛି ବାତ୍ୟା ‘ନିସର୍ଗ’ । କାଲି ଅପରାହ୍ଣରେ ଗୁଜରାଟର ହରିହରେଶ୍ୱର ଏବଂ ଡାମନ ମଧ୍ୟବର୍ତୀ ଅଂଚଳରେ କରିବ ଲ୍ୟାଣ୍ଡଫଲ, ଘଂଟାପ୍ରତି ୧୨୦ କିଲୋମିଟର ବେଗରେ ବହିପାରେ ପବନ ।

684

କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା ନିସର୍ଗ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ପାଇଁ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ହାଇଆର୍ଲଟ ଜାରି କରାଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବତ୍ୟାକୁ ନେଇ ପୁରା ସଜାଗ ରହିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ବାତ୍ୟାକୁ ନେଇ ଜରୁରୀ ବୈଠକ କରିଛନ୍ତି । କରୋନା ସଂକଟ ଭିତରେ ବାତ୍ୟାର ମୁକାବିଲା ସରକାରଙ୍କ ଆଗରେ ଏକ ବଡ ଆହ୍ୱାନ ହୋଇ ଛିଡା ହୋଇଛି । ପାଣିପାଗ ବିଭାଗର ସୁଚନା ଅନୁସାରେ ବାତ୍ୟା ନିସର୍ଗ ଉତର ପୁର୍ବ ଦେଇ ଆଗକୁ ବଢିବା ପରେ ହରିହରେଶ୍ୱର ଏବଂ ଦମନ ମଧ୍ୟରେ ଗତିକରିପାରେ । ଉତର ମହାରାଷ୍ଟ୍ର ଏବଂ ଗୁଜୁରାଟର ସମୁଦ୍ରରେ ଜୁନ୍ ୩ତାରିଖ ସକାଳ କିମ୍ବା ରାତିରେ ପହଂଚିପାରେ ।

ବାତ୍ୟା ବିପଦକୁ ଦୃ୍ଷ୍ଟିରେ ରଖି ମୁମ୍ବାଇ ଏବଂ ଗୁଜୁରାଟର ସମୁଦ୍ର କୂଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ମୁମ୍ବାଇରେ ମତ୍ସ୍ୟଜୀବୀମାନେ ସେମାନଙ୍କ ମାଛଧରା ବୋଟ ଗୁଡ଼ିକୁ ସମୁଦ୍ର କୂଳକୁ ଆଣୁଥିବାର ଦେଖିବାକୁ ମିଳିଛି । ଲୋକଙ୍କୁ ସତର୍କତାର ସହ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରିସ୍ଥିତିର ମୁକାବିଲା ପାଇଁ ଏନଡ଼ିଆରଏଫ ଟିମ୍କୁ ମୁତୟନ କରାଯାଇଛି । ବାତ୍ୟା ନିସର୍ଗ ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି । ଯଦି ଝଡ଼ବାତ୍ୟା ଭୟଙ୍କର ରୁପ ନିଏ ତେବେ ଘଂଟା ପ୍ରତି ୧୦୫ରୁ ୧୧୫ କିଲୋମିଟରରେ ପବନ ବହିବାର ସମ୍ଭାବନା ରହିଛିି । ଜୁନ୍ ୪ତାରିଖ ସଂଧ୍ୟାରେ ବାତ୍ୟା ଦୁର୍ବଳ ହେବା ବେଳକୁ ଘଂଟା ପ୍ରତି ୬୦ରୁ ୭୦ କିମି ପବନ ବହିପାରେ ।

ଗୃହମନ୍ତ୍ରୀ ଅମିତ ଶାହ ବାତ୍ୟା ନିସର୍ଗକୁ ନେଇ ଜରୁରୀ ବୈଠକ କରିଛନ୍ତି । ଏହି ବୈଠକରେ ଏନଡ଼ିଆରଏଫ ସମେତ ଅନ୍ୟ ବିଭାଗ ମଧ୍ୟ ସାମିଲ ହୋଇଥିଲେ । ନିସର୍ଗକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସାମୁଦ୍ରିକ ଝଡର ମୁକାବିଲା ପାଇଁ କେନ୍ଦ୍ର ସବୁ ପ୍ରକାରର ସହାୟତା ଯୋଗାଇବ ବୋଲି ଆଶ୍ୱସନା ଦେଇଛନ୍ତି ଗୃହମନ୍ତ୍ରୀ ।