ଓଡ଼ିଶାରେ ବାତ୍ୟା ‘ମିଗଜୋମ୍’ ପ୍ରଭାବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା । ଗଜପତିରେ ଶିକ୍ଷାନୁଷ୍ଠାନ ବନ୍ଦ, କୋରାପୁଟରେ ଧସିଲା ମାଟି ଅତଡା ।  

756

କନକ ବ୍ୟୁରୋ: ବାତ୍ୟାର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ ।

ସେପଟେ ବର୍ଷା ଯୋଗୁଁ କୋରାପୁଟରେ ମାଟିଅତଡା ଧସିଛି । ବୋରାରୁ ଶିବଲିଙ୍ଗପୁରମ ମଧ୍ୟରେ ମାଟି ଅତଡା ଧସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ ହଠାତ୍ ବ୍ରେକ ମାରିବାରୁ  ଇଂଜିନ ଓ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଉଦ୍ଧାରକାରୀ ଟ୍ରେନକୁ ଘଟଣାସ୍ଥଳକୁ ପଠାଯାଇଛି । କୋରାପୁଟରୁ ଆର୍ଖୁ ଦେଇ ବିଶାଖାପାଟଣା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି ।

ଏସଆରସି କହିଛନ୍ତି, ନାରାୟଣପାଟଣା ଓ ପଟ୍ଟାଙ୍ଗି ଅଂଚଳରେ  ସର୍ବାଧିକ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସେମାନେ ଯେତେ ଶୀଘ୍ର ରିେପୋର୍ଟ ଦେବେ ଅନୁଧ୍ୟାନ କରାଯାଇ କ୍ଷତିପୂରଣ ଦିଆଯିବ ।