କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋହନାରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେହିପରି ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ତେବେ ଓଡିଶା ଉପରେ ସେଭଳି କୌଣସି ପ୍ରଭାବ ନାହିଁ ବୋଲି ଆଇଏମଡି ସ୍ପଷ୍ଟ କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡା ରେ ୭ରୁ ୨୦ ସେଂଟିମିଟର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୮ଟି ଜିଲ୍ଲାରେ ବର୍ଷା ନେଇ ଜାରି ହୋଇଛି ୟୋଲୋ ୱାର୍ଣ୍ଣିଂ ।