ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର

1,227

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି ।

ବାତ୍ୟା ମିଗଜୋମକୁ ନେଇ ଆନ୍ଧ୍ରର ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା, କୃଷ୍ଣା, ପଶ୍ଚିମ ଗୋଦାବରୀ, କୋନସିମା ଏବଂ କାକିନଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ୮ଟି ଜିଲ୍ଲାରେ ଏନଡିଆରଏଫ ଓ ଏସଡିଆରଏଫର ଟିମକୁ ନିୟୋଜିତ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଇଏମଡି । ବର୍ଷା ଓ ବାତ୍ୟା ପାଇଁ ବନ୍ଦ ରହିଛି ସ୍କୁଲ ଓ କଲେଜ । ଖରାପ ପାଗ ପାଇଁ ତିରୁପତି ବିମାନ ବନ୍ଦରରୁ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଛି ।