ଆସୁଛି ବାତ୍ୟା । ପ୍ରବଳ ବର୍ଷିବ, ପବନ ବହିବ । ଜାଣନ୍ତୁ କେବେଠୁ ବଢିବ ବର୍ଷା-ପବନ?

809

କନକ ବ୍ୟୁରୋ : ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ ଓ ୩ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ତେବେ ୪ ତାରିଖରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆକାରରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ସମୁଦ୍ରରେ କେନ୍ଦ୍ରୀଭୂତ ହେବ । ଏହାର ପ୍ରଭାବରେ ୩ତାରିଖ ରାତିରୁ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ।

୩ ତାରିଖରୁ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିବ । ପ୍ରଥମେ ଦକ୍ଷିଣ ଓଡ଼ିଶା ବର୍ଷା ଆରମ୍ଭ ହୋଇ ଏହା ପୂରା ଉପକୂଳ ଓଡ଼ିଶାକୁ ଭିଜାଇବ । ଖାସକରି ଯେତେବେଳେ ବାତ୍ୟା ଉପକୂଳ ମୁହାଁ ହେବ ସେତେବେଳେ ପବନର ବେଗ ଆହୁରି ବଢିବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୯୦ରୁ ୧୧୦ କିଲୋମିଟର ରହିବ । ତେବେ ଉପକୂଳ ଓଡ଼ିଶାରେ ଏହି ସମୟରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ସବୁଠୁ ବଡ କଥା ହେଉଛି ୪ ତାରିଖ ସକାଳ ପରଠାରୁ ବାତ୍ୟା ତାହାର ଦିଗ ପରିବର୍ତ୍ତନ କରିବ । ଉତ୍ତର ଉତ୍ତ-ପୂର୍ବ ଦିଗରେ ଗତି କରିବ ବାତ୍ୟା ।ସମସ୍ତ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆଇଏମଡି ଡିଜିଙ୍କ କହିବା ଅନୁଯାୟୀ, ବାତ୍ୟାର ସବୁଠୁ ଅଧିକ ପ୍ରଭାବ ଓଡ଼ିଶା ଉପରେ ରହିବ । ତେଣୁ ଏବେଠୁ ପ୍ରଶାସନିକ ସ୍ତରରେ ବାତ୍ୟା ମୁକାବିଲା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।