କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ‘ମଣ୍ଡୋସ’ ଭୀଷଣ ବାତ୍ୟାର ରୂପ ନେଇଛି । ଗୁରୁବାର ସନ୍ଧ୍ୟାରେ ମଣ୍ଡୋସ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଶୁକ୍ରବାର ରାତି ସୁଦ୍ଧା ତାମିଲନାଡୁର ମମଲ୍ଲାପୁରମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସାମୁଦ୍ରିକ ଝଡ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ରହିବ ୬୫ରୁ ୭୫ କିଲୋମିଟର । ଶୁକ୍ରବାର ପାଇଁ କାଂଚିପୁରମ, ଚେଙ୍ଗଲପେଟ ଏବଂ ଭିଲୁପୁରୁ ପାଇଁ ଆଇଏମଡ଼ି ରେଡ଼ ଅଲର୍ଟ ଜାରି କରିଛି । ସେହିପରି ୯ ଡ଼ିସେମ୍ବରରୁ ଥିରୁଭଲୁର ଠାରୁ ନାଗାପଟିନମ ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତୀ ଜିଲ୍ଲାକୁ ରେଡ଼ ଅଲର୍ଟ ଜାରି କରାଯାଇଛି । ଅନ୍ୟପଟେ ୯ ଓ ୧୦ ଡ଼ିସେମ୍ବରରେ ଉତର ତାମିଲନାଡ଼ୁ , ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାଇଁ ଅରେଂଜ ୱାର୍ଣ୍ଣି ଜାରି ହୋଇଛି ।

Advertisment

ଭୟଙ୍କର ବାତ୍ୟା ଆଶଙ୍କାରେ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ଆଲର୍ଟ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା କାରଣରୁ ବହୁ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ସେପଟେ ପାଣିପାଗ ବିଭାଗର ସତର୍କ ପରେ ତାମିଲନାଡୁର ୧୦ ଜିଲ୍ଲାରେ ଏନଡିଆରଏଫ ଏବଂ ରାଜ୍ୟ ସୁରକ୍ଷା ବଳର ୧୨ଟି ଟିମକୁ ନିୟୋଜିତ କରାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶ ସରକାର ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦୁଇଦିନ ଯାଏଁ ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତାକାଲି ଯାଏଁ ତାମିଲନାଡୁ, ପୁଡୁଚେରୀ, କରାଇକାଲ, ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର କିଛି ରେଳ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସାମୁଦ୍ରିକ ଝଡ଼ ମଣ୍ଡୋସ ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ବହୁ ସ୍ଥାନରେ ବର୍ଷା ହୋଇଛି । ବାତ୍ୟା ମୁକାବିଲା ପାଇଁ ଉଦ୍ଧାରକାରୀ ଟିମ୍ ପ୍ରସ୍ତୁତି ଚଳାଇଛନ୍ତି ।