ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଲା ‘ଜୱାଦ’ । ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ । 

357

କନକ ବ୍ୟୁରୋ : ବାତ୍ୟା ଜୱାଦ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା । ଏହା ୯ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି ।

ଦୁର୍ବଳ ହୋଇଥିଲେ ବି ବାତ୍ୟା ଜୱାଦ ଏବେ ଉପକୂଳ ମୁହାଁ ହେଉଛି । ଏବେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ମୁତାବକ, ବାତ୍ୟା ଜୱାଦ ପୁରୀଠାରୁ ଏବେ ୩୩୦ କିଲୋମିଟର ଦୂରରେ ରହିଛି । ସେହିପରି ବାତ୍ୟା ଗୋପାଳପୁରଠାରୁ ୨୬୦ କିମି ଓ ପାରାଦୀପଠାରୁ ୪୨୦ କିଲୋମିଟର ଦୂରରେ ରହିଛି । ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ହେଲେ ଆଗାମୀ କିଛି ସମୟ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପବନର ବେଗ ଆହୁରି କମିବ । ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସୂଚନା ମୁତାବକ ବାତ୍ୟା ଜୱାଦ ରବିବାର ମଧ୍ୟାହ୍ନରେ ପୁରୀର ନିକଟବର୍ତ୍ତୀ ହେବ । ତେବେ ସ୍ଥଳଭାଗ ଛୁଇଁବା ସମ୍ଭାବନା କମ୍ । ବାତ୍ୟା ଜୱାଦ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ଏହାର ପ୍ରଭାବରେ ଓଡିଶା ଉପକୂଳରେ ୬୦ରୁ ୭୦ କିଲୋମିଟର ପବନ ବହିପାରେ କିନ୍ତୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ କଚ୍ଚା ଘରେ ନରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ସେହିପରି ସମୁଦ୍ରରେ ସ୍ୱାଭାବିକ ଠାରୁ ଦେଢ଼ ଫୁଟ ଅଧିକ ଉଚ୍ଚର ଜୁଆର ଉଠିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଚାଷୀ କୂଳର ଅଧିକ କ୍ଷତି ହେବାର ସମ୍ଭାବନା ଥିବାରୁ ୭ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି ଏସଆରସି ।