ଦଶହରାରେ ବାତ୍ୟା ଭୟ ! ୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ

Advertisment
ଦଶହରାରେ ବାତ୍ୟା ଭୟ ! ୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ

କନକ ବ୍ୟୁରୋ : ଗତ କିଛି ବର୍ଷ ଭଳି ଏଥର ମଧ୍ୟ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ ଘାରିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ବାତ୍ୟାର ପରିଣତ ହେବ ବୋଲି ଗୋଟିଏ ମଡେଲ୍‌ କହୁଥିବା ବେଳେ ଆଉ ଏକ ମଡେଲ୍‌ କହୁଛି ବାତ୍ୟା ହେବନି । କିନ୍ତୁ ପ୍ରବଳ ‌ବର୍ଷା ହେବ। ବାତ୍ୟା ହେଉ କି ବର୍ଷା ଯାହା ହେବ ଦଶହରା ବେଳେ ‌ହିଁ ହେବ ବୋଲି ସବୁ ମଡେଲ୍‌ ଦେଖାଉଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବ। ବାତ୍ୟାର ରୂପ ବି ନେଇପାରେ। ବର୍ତ୍ତମାନ ବଙ୍ଗୋପ ସାଗରର ଅବସ୍ଥା ଦେଖିଲେ ଏହା ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ । ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । କିନ୍ତୁ ଏହାର ଗତିପଥ ଏବେଠୁ ଠିକ୍ ଭାବେ ଆକଳନ କରିହେବନି । ୧୦ତାରିଖ ପରେ ଲଘୁଚାପ ବାତ୍ୟାର ରୂପ ନେଇ କେଉଁ ଦିଗରେ ଯିବ ଏବଂ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା କହିହେବ । ସେହିପରି ଯଦି ମିଆଁମାରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟର କିଛି ଅଂଶ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁହାଁ ହୁଏ ତେବେ ବାତ୍ୟାର ଭୟ ନାହିଁ । ଏହା ପ୍ରଭାବରେ କେବଳ ବର୍ଷା ହେବ ।  ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାରେ ପୁଣି ଏକ ଘୂର୍ଣ୍ଣିଝଡ଼ ଆସିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଅବପାତରେ ପରିଣତ ହୋଇପାରେ । ଲଘୁଚାପ ସୃଷ୍ଟି ହେବାର ପରବର୍ତୀ ୪ରୁ ୫ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୪ କିମ୍ବା ୧୫ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ । ହେଲେ ଏହାର ପ୍ରଭାବ କିଭଳି ରହିବ ସେନେଇ ଏବେ ଆକଳନ କରାଯାଇ ନାହିଁ । ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଏହା ଗତିପଥ ଉପରେ ସ୍ପଷ୍ଟ ଭାବେ କୁହାଯାଇପାରିବ ।

ସମ୍ଭାବ୍ୟ ଘୂର୍ଣ୍ଣିଝଡ଼କୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ୧୪ କିମ୍ବା ୧୫ ତାରିଖ ବେଳକୁ ଏହା ସ୍ଥଳ ଭାଗ ଛୁଇଁବାକୁ ଥିବାରୁ ପ୍ରତି ମୁହୂର୍ତ୍ତ ଖବର ରଖିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ଏସମ୍ପର୍କରେ ଟିକିନିଖ୍ ସୂଚନା ଦେବା ସହ ଆବଶ୍ୟକ ସ୍ଥଳେ ତ୍ବରିତ୍ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ତାରିଖ ପର୍ଯ୍ୟନ୍ତ ସେଭଳି ବଡ଼ ବର୍ଷା ନାହିଁ ବୋଲି କୁହାଯାଇଛି ।

ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ ଆରମ୍ଭ କରିଛି । ପ୍ରଥମ ଦିନରେ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳ ସମେତ ଗୁଜୁରାଟରୁ ଏହି ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଗୁଜୁରାଟର ଅଧିକାଂଶ ସ୍ଥାନ, ରାଜସ୍ଥାନ, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶର କେତେକ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତନ କରିବ । ହେଲେ ଏଥର ନିର୍ଧାରିତ ସମୟଠାରୁ ବିଳମ୍ବରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତନ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe