ରାଜ୍ୟରେ ଆଜିଠୁ ବଦଳିବ ପାଗ,କାଲିଠୁ ଶୁଖିଲା ପାଗ : ଉତ୍ତର ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

237

କନକ ବ୍ୟୁରୋ : ସମୁଦ୍ର ଭିତରେ ଦୁର୍ବଳ ହୋଇ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା କରି ପଶ୍ଚିମବଙ୍ଗ ଆଡକୁ ଚାଲି ଯାଇଛି ବାତ୍ୟ।। ଜୱାଦ । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଠାରୁ ପାଗ ବଦଳିଯିବ ।

ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ । ଫଳରେ ଓଡିଶାରେ ଶୀତ ବଢିବ । ତେବେ ବାତ୍ୟା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯାଇଛି । ତୀବ୍ର ଅବପାତର ରୂପ ନେଇ ବାତ୍ୟା ଯେତିକି ଉପକୂଳ ନିକଟବର୍ତି ହେଉଥିଲା, ସେତିକି ଦୁର୍ବଳ ହେଉଥିଲା । ହେଲେ ଏହା ପ୍ରଭାବରେ ଉପକୂଳ ଅଂଚଳରେ ଲଗାଣ ବର୍ଷା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ତେବେ ସମୟ ଗଡିବା ସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା । ଗତକାଲି ସାଢ଼େ ୨ଟା ବେଳକୁ ଡିପ୍ରେସନ ବା ଅବପାତର ରୂପ ନେଇ ଉତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିଲା ଜୱାଦ ।

ବାତ୍ୟା ଟଳିଯାଇଥିଲେ ମଧ୍ୟ ପ୍ରବଳ ବର୍ଷା ଓ ଅଳ୍ପ ପବନ ଯୋଗୁଁ ସାରା ରାଜ୍ୟରେ ଧାନ ସମେତ ପରିବା ଫସଲ ଉଜୁଡ଼ି ଯାଇଛି । ବାତ୍ୟା ସମୁଦ୍ରରେ ଯେତେ ଦୁର୍ବଳ ହେଉଥିଲା ରାଜ୍ୟରେ ବର୍ଷା ସେତେ ବଢ଼ି ଚାଲିଥିଲା । ଶନିବାରଠାରୁ ଦକ୍ଷିଣ, ପୂର୍ବ ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ବିଲରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି । ଧାନ ପାଚିବା ସମୟରେ ବର୍ଷା ଓ ପବନ ହେବାରୁ ଧାନ ଗଛଗୁଡ଼ିକ ବିଲରେ ଶୋଇପଡ଼ିଛି । ବିଲରେ ଯେତିକି ପାଣି ଜମିଛି ସପ୍ତାହକ ମଧ୍ୟରେ ଶୁଖିବା ସ୍ଥିତି ନାହିଁ । ଫଳରେ ବିଲରେ ହିଁ ଧାନ ଗଜା ହେବ ତାହା ଜଳଜଳ ଦିଶୁଛି । ବାଲେଶ୍ବର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ମୟୂରଭଞ୍ଜ, ନୟାଗଡ଼, ଭଦ୍ରକ ଆଦି ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି । କୋବି, ଟମାଟୋ, ଭେଣ୍ଡି, ବାଇଗଣ, ବିନ୍, ଗାଜର, ମୂଳା, ଧନିଆ, ଆଳୁ ଭଳି ବହୁ ପରିବା ଚା‌ଷ କ୍ଷତିଗ୍ରସ୍ତ ହୋଇଛି ।

ରବିବାର ଦିନ ରାଜ୍ୟର ସମଗ୍ର ଉପକୂଳ ଜିଲ୍ଲାଗୁଡ଼ିକରେ ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଜାରି ରହିଥିଲା । ଗତ ୩୬ ଘଣ୍ଟାରେ ରାଜ୍ୟର ସର୍ବାଧିକ ବର୍ଷା ପାରାଦୀପଠାରେ ୨୫୯.୬ ମିମି ରେକର୍ଡ ହୋଇଯାଇଛି । ସେହିଭଳି ଭୁବନେଶ୍ବରରେ ୫୫.୯ ମିମି, ଚାନ୍ଦବାଲିରେ ୭୪.୪ ମିମି, ୫୪.୪ମିମି, ଗୋପାଳପୁରରେ ୬୪.୪ ମିମି, ପୁରୀରେ ୫୪.୯ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଯାଇଛି । ଏଥିସହ ପୁରୀ, ପାରାଦୀପ ଆଦି ସ୍ଥାନରେ ଦିନତମାମ୍ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦ କିମି ରେକର୍ଡ ହୋଇଛି । ‘ଜୱାଦ’ ପ୍ରଭାବରେ ରାଜ୍ୟରେ ହାରାହାରି ୧୧.୮ ମିମି ବୃଷ୍ଟିପାତ ପରିଲକ୍ଷିତ ହୋଇଛି ।