ଏମାନେ ଥିଲେ ଡର କାହାକୁ…‘ଜୱାଦ’ ଭଳି ଯେତେ ବାତ୍ୟା ଆସୁ, ଜବାବ ଦେବାକୁ ଆମ ପାଖେ ଆମ ଯୋଦ୍ଧା ଅଛନ୍ତି…

980

କନକ ବ୍ୟୁରୋ: ଏମାନେ ବିପର୍ଯ୍ୟୟ ବେଳର ବନ୍ଧୁ, ଏମାନେ ସଙ୍କଟ ବେଳର ସଙ୍କଟମୋଚକ । ଏମାନେ ଥିଲେ ନା ଡରେଇ ପାରେ ବାତ୍ୟା, ନା ଭୟଭୀତ କରିପାରେ ବନ୍ୟା । ସବୁ ଆତଙ୍କ ଆସିବା ଆଗରୁ ଏମାନେ ଉଭା ହୁଅନ୍ତି, ଏମାନେ ସାହାରା ସାଜନ୍ତି… ଯେବେଯେବେ ବିପତ୍ତି, ବିପର୍ଯ୍ୟୟ ମାଡି ଆସିଛି ସେବେସେବେ ବିପଦ ବେଳର ବନ୍ଧୁ ସାଜିଛନ୍ତି ଏମାନେ । ଦୁଃଖ, ଦୁର୍ଦ୍ଦିନ, ଦୁଃସମୟର ଦେବଦୂତ ସାଜିଛନ୍ତି । ସେ ବର୍ଷା ହେଉ କି ବନ୍ୟା ଅବା ହେଉ ବାତ୍ୟା.. କାଳର ରୂପ ଯେତେ କରାଳ ହେଉ ନା କାହିଁକି, ପରିସ୍ଥିତି ଯେମିତି ଆସୁ ନା କାହିଁକି.. ପରର ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରନ୍ତି, ନିଜ ଜୀବନକୁ ପାଣି ଛଡାଇ ପାଣି ପବନ ସହ ସାମ୍ନାସାମ୍ନି ହୁଅନ୍ତି ।

ହଁ, ଏମାନେ ପୋଲିସ- ପ୍ରଶାସନ ନାଁରେ ପରୋପକାରୀ ବନ୍ଧୁ, ସରକାର ନାଁରେ ସାହାଯ୍ୟର ସାରଥୀ । ଏମାନେ ବିପର୍ଯ୍ୟୟ ବେଳର ବାହୁବଳୀ ଯୋଦ୍ଧା, ଏମାନେ ଭୟ ଭିତରର ଶକ୍ତ ଭରସା । ବିପଦ ଆସିବା ଆଗରୁ ଆ ବୋଲି ଡାକନ୍ତି, ଅସୁରକ୍ଷିତ ଅଗଣାରୁ ସୁରକ୍ଷିତ ଆଶ୍ରୟ ସ୍ଥଳୀ ନିଅନ୍ତି । ସେ ଫୋନି ହେଉ କି ଫାଇଲିନ, ତିତଲି ହେଉ କି ଅମ୍ଫାନ, ଗୁଲାବ ହେଉ କି ବାତ୍ୟା ଜୱାଦ । ସବୁବେଳେ ଝଡର ପୂର୍ବାନୁମାନ କରି ପାଣିପାଗ ବିଭାଗ ସତର୍କ କରାଇବା ପରେ ସଜାଗ ହୁଅନ୍ତି ସରକାର । ଆଉ ତାପରେ ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ଗ୍ରାଉଣ୍ଡ ଜିରୋକୁ ଯାଆନ୍ତି । ଲୋକଙ୍କ ଧନ ଜୀବନ ରକ୍ଷା କରିବାକୁ ଅଣ୍ଟା ଭିଡନ୍ତି ।

ଜିଲ୍ଲାପାଳ ହୁଅନ୍ତୁ କି ଏସପି, ତହସିଲଦାର ହୁଅନ୍ତୁ କି ଅନ୍ୟ ତଳିଆ ସରକାରୀ କର୍ମଚାରୀ । ସମସ୍ତେ ସଙ୍କଟ ଟାଳିବାକୁ ସଙ୍କଳ୍ପ ନିଅନ୍ତି ଆଉ ବାତ୍ୟା, ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଉଦ୍ୟମ ଚଳାନ୍ତି । ବିପଦ ଯେତେ ପାଖଉଥାଏ, ତାର ମୁକାବିଲା ପାଇଁ ପ୍ରସ୍ତୁତି ସେତେ ଶକ୍ତ ହେଉଥାଏ । ଜିରୋ କାଜୁଆଲିଟି ମିଶନକୁ ସଫଳ କରିବାକୁ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟା କରନ୍ତି…

ବାତ୍ୟା ଆସିବା ଆଗରୁ ପ୍ରଭାବିତ ଅଞ୍ଚଳରେ ସତର୍କ କରାନ୍ତି ସରକାରୀ ବାବୁ । ମାଇକ ଯୋଗେ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ କୁହନ୍ତି । ଯେଉଁମାନେ ଅମଙ୍ଗ ହୁଅନ୍ତି ସେମାନଙ୍କୁ ବୁଝାସୁଝା କରି ନିଅନ୍ତି । କାରଣ ପ୍ରଳୟ ପାଟିରୁ ପ୍ରତିଟି ଜୀବନ ବଞ୍ଚାଇବା ସମସ୍ତଙ୍କ ଲକ୍ଷ୍ୟ । ଗର୍ଭବତୀ ହୁଅନ୍ତୁ କି ବୃଦ୍ଧବୃଦ୍ଧା ଅବା ହୁଅନ୍ତୁ କୁନି କୁନି ପିଲା । ସେମାନଙ୍କୁ ଆଗୁଆ ଉଦ୍ଧାର କରିବାକୁ ପଦକ୍ଷେପ ନିଏ ପ୍ରଶାସନ । କଚ୍ଚା ଘରେ କାନ୍ଥ ପଡିଯିବାର ଆଶଙ୍କା ଥିବାରୁ ଖାଲି ମଣିଷ ନୁହେଁ ଗୃହପାଳିତ ପଶୁପକ୍ଷୀଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଆଯାଏ ।

ଜୀବନକୁ ଯେତିକି ଗୁରୁତ୍ୱ ଦିଆଯାଏ, ଜୀବୀକାକୁ ବି ସେତିକି ଗୁରୁତ୍ୱ ଦିଅନ୍ତି ପ୍ରଶାସନିକ ବାବୁମାନେ । ଏଇ ଦେଖୁ ନାହାନ୍ତି ଗଞ୍ଜାମ ପ୍ରଶାସନ ପକ୍ଷରୁ କେମିତି ଅମଳ ଧାନକୁ ଘୋଢାଇ ରଖିବା ପାଇଁ ପଲିଥିନ ଦିଆଯାଇଛି । ଆଉ ଏଠି ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରେ ଥିବା ଏ ବାତ୍ୟା ଆଶ୍ରୟସ୍ଥଳୀରେ ଅମଳ ଧାନକୁ ରଖାଯାଇଛି । ବର୍ଷାରେ ଭିଜି କାଳେ ନଷ୍ଟ ହୋଇଯିଏ ସେହି ଆଶଙ୍କାରେ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଆଉ ଏ ସବୁ ସମ୍ଭବ ହୋଇଛି ସେବା ଓ ସୁରକ୍ଷା ପ୍ରତି ନିଷ୍ଠା ରଖିଥିବା ଜଣେ ଜଣେ ଯୋଦ୍ଧାଙ୍କ ପାଇଁ… ସେଇଥିପାଇଁ ତ ଆମେ କହୁ, ଜୱାଦ ଭଳି ଯେତେ ବାତ୍ୟା, ଯେତେ ବିପଦ ଆସୁ, ଜବାବ ଦେବାକୁ ଏମାନେ ଅଛନ୍ତି…