ଉତ୍ତର ଦିଗରେ ଗତି କରୁଛି ବାତ୍ୟା ଜୱାଦ । ଦୁର୍ବଳ ହୋଇ ପୁରୀରେ ପହଞ୍ଚିବ, ପ୍ରବଳ ବର୍ଷିବ ।

337

କନକ ବ୍ୟୁରୋ : ବାତ୍ୟା ଜୱାଦ ଏବେ ସମୁଦ୍ର ମଝିରେ ଥିବା ବେଳେ ଆସନ୍ତାକାଲି ସ୍ଥଳଭାଗ ଛୁଇଁପାରେ । କିନ୍ତୁ ସମୁଦ୍ର ମଧ୍ୟରୁ ଏବେ ବାତ୍ୟା ଜୱାଦ ଦିଗ ବଦଳାଇବା ଆରମ୍ଭ କରିଛି । ଏସବୁ ଭିତରେ ବଡ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ । ଏବେ ବାତ୍ୟା ଉତ୍ତର ଦିଗରେ ଗତି କରୁଛି । ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ଦୁର୍ବଳ ହେବ ବାତ୍ୟା । ତେବେ ଆସନ୍ତାକାଲି ପୁରୀରେ ମଧ୍ୟାହ୍ନ ସୁଦ୍ଧା ବାତ୍ୟା ପହଞ୍ଚିବା ପରେ ଏହା ଆହୁରି ଦୁର୍ବଳ ହେବ ।

ପୁରୀରେ ବାତ୍ୟା ଜୱାଦ ପହଞ୍ଚିବା ପରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିବ । ସେହିଭଳି ସମୁଦ୍ର ତଟରେ ପବନର ବେଗ ୭୫ କିଲୋମିଟର ରହିବ । ତେବେ ବାତ୍ୟା ପ୍ରଭାବରେ ଆଜି ସମସ୍ତ ଜିଲ୍ଲାରେ ବର୍ଷା ହେବ । ତେବେ ଆସନ୍ତାକାଲି ଉତ୍ତର ଓଡ଼ିଶାରେ ଅଧିକ ମାତ୍ରାରେ ବର୍ଷା ହେବ । ୬ ତାରିଖରୁ ବର୍ଷାର ପରିମାଣ କମିବ । ବାତ୍ୟା ଜୱାଦ ପାଇଁ ଏବେ ବନ୍ଦର ଗୁଡିକରେ ୪ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀକୁ ମନା କରାଯାଇଛି ।