ସମୁଦ୍ରରେ ସକ୍ରିୟ ଘୂର୍ଣ୍ଣିବଳୟ : ଆଗାମୀ ୪୮ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା

 ପରବର୍ତ୍ତୀ ୪ରୁ ୫ଦିନ ଯାଏଁ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରିବା ନେଇ ପାଣିପାଗ ବିଭାଗର ସୂଚନା

350

କନକ ବ୍ୟୁରୋ : ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧କିଲୋମିଟରରୁ ୫.୮କିଲୋମିଟର ମଧ୍ୟରେ ବାୟୁମଣ୍ଡଳରେ ଏହା ସକ୍ରିୟ ରହିଛି । ଯାହା ପ୍ରଭାବରେ ଆଗାମୀ ୪୮ଘଂଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି ସାମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪ରୁ ୫ଦିନ ଯାଏଁ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ଉପକୂଳ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ, ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ଶୁକ୍ରବାର ସୁଦ୍ଧା ଗୁଜରାଟ ଓ ରାଜସ୍ଥାନର ଅଧିକାଂଶ ଅଞ୍ଚଳ, ସମ୍ପୂର୍ଣ୍ଣ ପଞ୍ଜାବ, ହରିୟାଣା, ଛତିଶଗଡ଼, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଲଦାଖ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଏହା ପ୍ରତ୍ୟାବର୍ତ୍ତନ କରିବା ନେଇ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର ବିଶ୍ବାସ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଏବେ ବି ଜାରି ରହିଛି । ଯାହାକି ପରବର୍ତ୍ତୀ ସମୟରେ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବ କ’ଣ ରହିବ, ସେନେଇ ଏପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ପାରିନାହିଁ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଆଜି ମାଲକାନଗିରି, କେରାପୁଟ, ରାୟଗଡ଼ା ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପା‌ତ, ଘଡ଼ଘଡ଼ି ସହ ବର୍ଷା ହେବ । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୧୪, କଟକରେ ୫, ଗଜପତିର ଆର.ଉଦୟଗିରିରେ ୪ସେମି ଲେଖାଏଁ ବର୍ଷା ହୋଇଛି ।