ଦୁର୍ବଳ ହେଉଛି, କିନ୍ତୁ ପ୍ରବଳ ବର୍ଷୁଛି । ଜାଣନ୍ତୁ ଉପକୂଳ ଠାରୁ କେତେ ଦୂରରେ ଅଛି ଜୱାଦ, କେଉଁ ସ୍ଥାନରେ କେତେ ବର୍ଷା ହୋଇଛି?

226

କନକ ବ୍ୟୁରୋ : ବାତ୍ୟା ଜୱାଦ ଦୁର୍ବଳ ହେବାରେ ଲାଗିଛି । ସ୍ଥଳଭାଗ ଆଡକୁ ମୁହାଁଉଥିବା ବେଳେ ଲଗାତାର ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ଗଭୀର ଅବବାତ ଭାବେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଗତି କରୁଛି । ବିଶାଖପାଟଣା ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୧୮୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣ ଦିଗରେ ୧୩୦ କିଲୋମିଟର ଏବଂ ପୁରୀ ଠାରୁ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ୧୮୦ କିଲୋମିଟର ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୨୭୦ କିଲୋମିଟର ଦୂରରେ ରହିଛି ।

ବର୍ତମାନ ଗଭୀର ଅବପାତ ରହିଛି, ଅନୁମାନ କରାଯାଉଛି ଆଉ କିଛି ସମୟ ମଧ୍ୟରେ ଏହା ଡିପ୍ରେସନରେ ପରିଣତ ହେବ । ପରେ ଏହା ପଶ୍ଚିମ ବଙ୍ଗ ଆଡକୁ ଗତି କରିବ । ତେବେ ବାତ୍ୟା ଜୱାଦ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଛି । ଆଉ ଏହାସହ ଗତ ୨୩ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଗୋପାଳପୁରରେ ସର୍ବାଧିକ ୬୦ ମିମି, ପାରାଦ୍ୱୀପରେ ୪୬ ମିମି, ଚାନ୍ଦବାଲିରେ ୨୮ ମିମି, ଭୁବନେଶ୍ୱରରେ ୨୪ ମିମି, ପୁରୀରେ ୨୧ ମିମି ବର୍ଷା ରେକର୍ଡ କରାଯାଇଛି । ଏହାସହ ଭୁବନେଶ୍ୱର ଓ କଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଝିରେ ମଝିରେ ପ୍ରବଳ ବର୍ଷା ହେବ । ଖାସକରି ଏହି ସମୟରେ ପବନର ବେଗ ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଯେଉଁଥିପାଇଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏହାଛଡା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ବର୍ଷା କାରଣରୁ ପାଣି ଜମିବା, ଟ୍ରାଫିକ ସମସ୍ୟା ଦେଖାଦେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି ।