ମଝି ସମୁଦ୍ରରେ ଦିଗ ବଦଳାଇପାରେ ବାତ୍ୟା ‘ଜୱାଦ’ । ପ୍ରଥମେ ଦକ୍ଷିଣ ଓଡିଶାରେ ବର୍ଷିବ, ପରେ ଉପକୂଳରେ ଛେଚିବ ।

280

କନକ ବ୍ୟୁରୋ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ- ଉତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତୀ ଆଣ୍ଡାମାନ ସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । ସେତେବେଳକୁ ଏହା ଉତର-ପଶ୍ଚିମ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବ । ପୁଣି ଏହା ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହେବ । ଶନିବାର ସକାଳେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ତେବେ ଏହା ସମୁଦ୍ର ମଝିରୁ କେଉଁଠୁ ଦିଗ ପରିବର୍ତ୍ତନ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଏପରିକି ସ୍ଥଳଭାଗ ଛୁଇଁବ କି ନାହିଁ ଏବଂ କେତେବେଳେ ଦିଗ ବଦଳାଇବ ସେ ବାବଦରେ କୌଣସି ସୂଚନା ନାହିଁ । ଅବପାତର ରୂପ ନେବା ପରେ ଏବାବଦରେ ଏକ ସ୍ପଷ୍ଟ ସଂକେତ ମିଳିପାରେ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ଏହି ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ସାମୁଦ୍ରିକ ବାତ୍ୟାର ରୂପ ନେବ ।ସକାଳୁ ଦିଗ ପରିବର୍ତ୍ତନର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ । ୩ ତାରିଖ ମଧ୍ୟରାତ୍ରୀରୁ ବର୍ଷା ଆରମ୍ଭ, ୪ ଓ ୫ରେ ବର୍ଷିବ ।ପ୍ରଥମେ ଦକ୍ଷିଣରେ ବର୍ଷିବ, ପରେ ଉପକୂଳରେ ଛେଚିବ । ଖାସକରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ପ୍ରଥମେ ବର୍ଷିବ, ତାପରେ ବାତ୍ୟା ସ୍ଥଳଭାଗ ମୁହାଁ ହେବା ପରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ଏସଆରସି । ଆଉ ଏଥିପାଇଁ ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି । ଏହାସହ ମତ୍ସ୍ୟଜୀବୀ ମାନଙ୍କୁ ସମଦ୍ରରୁ ଫେରି ଆସିବାକୁ କୁହାଯାଇଥିବା ବେଳେ ଏବେ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଥିବା ସୂଚନା ମିଳିଛି । ୩ରୁ ୫ ମଧ୍ୟରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ସେହିଭଳି ଚାଷୀ ମାନଙ୍କୁ ନିଜର ଅମଳ ଫସଲକୁ ତୁରନ୍ତୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳ ଜମିରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।