କନକ ବ୍ୟୁରୋ : ବଂଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଉତର ଓଡିଶା-ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଗତ ୨୪ ଘଂଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ୨୭ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୩ ଦଶମିକ ୫ ମିଲିମିଟର ତୁଳନାରେ ୧୦୩ ପ୍ରତିଶତ ଅଧିକ ।

Advertisment

ସେହିପରି ଗତ ୨୪ ଘଂଟାରେ ଝାରସୁଗୁଡା କିରମରାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୧୧ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ୧୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କେରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୮ରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ । ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ପରେ ସତର୍କ କରିଛନ୍ତି ଏସଆରସି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ତେଣୁ କ୍ଷେତ୍ର ସରକାରୀ କର୍ମଚାରୀଙ୍କୁ ହେଡକାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ତଳିଆ ଅଂଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିପାରେ ।