ମହାରାଷ୍ଟ୍ରକୁ ମାଡି ଆସୁଛି ବାତ୍ୟା ନିସର୍ଗ: ଘଂଟା ପ୍ରତି ୧୧କିମି ବେଗରେ ଉତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ମୁହାଁ; ଆସନ୍ତା ୬ ଘଂଟା ଭିତରେ ନେବ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ

ମହାରାଷ୍ଟ୍ର ଆଲିବାଗ ନିକଟରେ ଅପରାହ୍ନରେ କରିବ ଲ୍ୟାଣ୍ଡଫଲ

253

କନକ ବ୍ୟୁରୋ: ମହାରାଷ୍ଟ୍ରକୁ ମାଡି ଆସୁଛି ବାତ୍ୟା ନିସର୍ଗ । ଘଂଟା ପ୍ରତି ଏହା ୧୧ କି.ମି. ବେଗରେ ଉତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ମୁହାଁ ହେଉଛି । ସମୁଦ୍ର ଭିତରେ ବଳ ଗୋଟାଇ ଆସନ୍ତା ୬ ଘଂଟା ଭିତରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ମୁମ୍ବାଇ ଠାରୁ ଦ କ୍ଷିଣ ଓ ଦ କ୍ଷିଣ ପଶ୍ଚିମ ଦିଗରେ ୨୫୦ କିମି ଦୂରରେ ରହିଛି । ସେହିପରି ସୁରତ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୪୬୦ଶହ କିଲୋମିଟର ଦୂରରେ ରହିଛି । ଆଜି ଅପରାହ୍ନରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଆଲିବାଗ ନିକଟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି ।

ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଘଂଟା ପ୍ରତି ୧୧୦ରୁ ୧୨୦କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବୋହିପାରେ । ଏହା ପ୍ରଭାବରେ ମହାରାଷ୍ଟ୍ର,କର୍ଣ୍ଣାଟକ, ଗୁଜୁରାଟ ଓ ଗୋଆରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଉଛି । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର,ଗୋଆ ଓ କର୍ଣ୍ଣାଟକ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ଏହା ସହ ଦକ୍ଷିଣ ଗୁଜୁରାଟ ଉପକୂଳରେ ବି ସମୁଦ୍ର ଅଶାନ୍ତ ରହିବ । ଏଣୁ ଏହି ସମୟରେ ମହାରାଷ୍ଟ୍ର,ଦକ୍ଷିଣ ଗୁଜୁରାଟ,କର୍ଣ୍ଣାଟକ ଓ ଗୋଆରେ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ବାତ୍ୟା ନିସର୍ଗ ପ୍ରଭାବରେ ମୁମ୍ବାଇରେ ବର୍ଷା ଆରମ୍ଭ ହୋଇଯାଇଛି । ମୁ୍ମ୍ବାଇର ଘାଟକୋପର ଓ କୁର୍ଲା ଅଂଚଳରେ ପ୍ରବଳ ବର୍ଷା ସହ ଜୋରରେ ପବନ ବୋହୁଛି । ଆଜି ସକାଳୁ ଆହୁରି ଭୀଷଣ ବର୍ଷା ସହ ପବନର ବେଗ ବଢିବ ବୋଲି ପୂର୍ବାନୁମାନ କରିଛି ପୁଣେ ପାଣିପାଗ ବିଭାଗ କେନ୍ଦ୍ର । ଉପକୂଳ ଅଂଚଳକୁ ମଙ୍ଗଳବାର ମଧ୍ୟ ରାତିରୁ ଗୁରୁବାର ଦିପହର ଯାଏଁ କୌଣସି ଲୋକ ନ ଯିବାକୁ କଟକଣା ଜାରି କରିଛି ମୁମ୍ବାଇ ପୁଲିସ । ସାମୁଦ୍ରିକ ଝଡ ମୁମ୍ବାଇ ନିକଟତର ହେଉଥିବା ବେଳେ ନ୍ୟୁକ୍ଲିୟର ଓ କେମିକାଲ ପ୍ଲାଂଟର ସୁରକ୍ଷାକୁ ନେଇ ଚିନ୍ତା ବଢିଛି । ସେପଟେ ଗୁଜରାଟ ଉପକୂଳ ଖେଡାରେ ମଧ୍ୟ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସାମୁଦ୍ରିକ ଝଡ ଉପକୂଳକୁ ଯେତେ ପାଖେଇବ, ତୁହାକୁ ତୁହା ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବ । ସମ୍ଭାବ୍ୟ ବାତ୍ୟା ସ୍ଥିତିିକୁ ଆଖିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦକ୍ଷିଣ ଗୁଜରାଟ ଉପକୂଳ ଅଂଚଳର ଗାଁକୁ ଖାଲି କରାଯିବା ସହ ପ୍ରାୟ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ ।

ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଅଲିବାଗ ନିକଟରେ ମାଡ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଥିବା ବେଳେ ଏବେ ବାତ୍ୟା ବିପଦ ପ୍ରଶାସନର ନିଦ ହଜାଇ ଦେଇଛି । ପାଲଘର ଜିଲ୍ଲାର ଉପକୂଳ ଅଂଚଳର ଗାଁକୁ ଖାଲି କରାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । କେବଳ ପାଲଘର ଜିଲ୍ଲାରୁ ୨୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନଡିଆରଏଫ ଟିମ ବାତ୍ୟା ପ୍ରଭାବ ପକାଇବାକୁ ଥିବା ଅଂଚଳରେ ମୁତୟନ ହୋଇଛନ୍ତି । ସେହିପରି ତଟୀୟ ସୁରକ୍ଷା ବାହିନୀ ମଧ୍ୟ ଅଲର୍ଟ ରହିଛନ୍ତି । ଏହାଛଡା ଆବଶ୍ୟକ ହେଲେ ଲୋକଙ୍କୁ ଏୟାରଲିଫ୍ଟିଂ ଜରିଆରେ ଉଦ୍ଧାର କରିବାକୁ ମଧ୍ୟ ମହାରାଷ୍ଟ୍ର ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।