କରୋନା ସଂକଟ ଭିତରେ ବାତ୍ୟା ବିପଦ । ଭୟଙ୍କର ରୂପ ନେଇ ସ୍ଥଳଭାଗରେ ମାଡ ହୋଇପାରେ ଆରବସାଗରର ସୃଷ୍ଟି ହୋଇଥିବା ବାତ୍ୟା ତୌକତ ।

452

କନକ ବ୍ୟୁରୋ: ସାରା ଦେଶ ଯେତେବେଳେ କରୋନାର ଦ୍ୱିତୀୟ ଲହରର ସାଂଘାତିକ ସ୍ଥିତିକୁ ସାମ୍ନା କରୁଛି ଠିକ୍ ସେତିକିବେଳେ ଆରବ ସାଗରରୁ ମାଡି ଆସୁଛି ଅତି ଭୀଷଣ ବାତ୍ୟା ତୈାଟେ । ମଙ୍ଗଳବାର ଅପରାହ୍ନରେ ଏହା ଗୁଜୁରାଟର ପୋରବନ୍ଦର ଏବଂ ନଲିୟା ଭିତରେ ସ୍ଥଳଭାଗକୁ ଛୁଇଁବ ।

ବାତ୍ୟା ଗତିପଥର ଏହା ହେଉଛି ସାଂକେତିକ ଚିତ୍ର । ୨୦୨୧ର ପ୍ରଥମ ବାତ୍ୟା ଆସନ୍ତା ୬ ଘଂଟାରେ ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଏହାର ୧୨ ଘଂଟା ଭିତରେ ଅତି ଭୀଷଣ ବାତ୍ୟାର ରୁପ ନେବ । ଏହି ସମୟ ବେଳକୁ ପବନର ବେଗ ଘଂଟାପ୍ରତି ୧୫୦ ରୁ ୧୬୦ କିମି ରହିପାରେ ।

୫ଟି ରାଜ୍ୟ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଏବଂ ମହାରାଷ୍ଟ୍ର ଉପରେ ଏହାର ପ୍ରଭାବ ପଡିବା ଆକଳନ କରାଯାଇଛି । ଏହାକୁ ଆଖି ଆଗରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି । ୫୩ଟି ଏନଡିଆରଏଫ ଟିମ୍ ଏସବୁ ରାଜ୍ୟରେ ମୁତୟନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ପ୍ରବଳ ବର୍ଷା କିଛି ସ୍ଥାନରେ ଭୁସ୍ଖଳନ ଘଟାଇପାରେ । ରବିବାର ପର୍ଯ୍ୟନ୍ତ ଏହି ସ୍ଥିତି କେରଳ, କର୍ଣ୍ଣାଟକ ଏବଂ ଗୋଆର ଉପକୁଳବର୍ତ୍ତୀ ଜିଲ୍ଲା ଗୁଡିକରେ ଦେଖିବାକୁ ମିଳିବ । ଗୁଜୁରାଟର ସୈାରାଷ୍ଟ୍ର ଏବଂ କଛ୍ରେ ମଙ୍ଗଳବାର ଓ ବୁଧବାର ଏହାର ଯଥେଷ୍ଟ ପ୍ରଭାବ ରହିବ । ସେହିଭଳି ଲକ୍ଷଦ୍ୱୀପର ତଳିଆ ଅଂଚଳ ପାଇଁ ବନ୍ୟା ଆଶଙ୍କା ଥିବାରୁ ଆଲର୍ଟ ଜାରି କରାଯିବା ସହ ତାମିଲନାଡୁ ଏବଂ ରାଜସ୍ଥାନରେ ମଧ୍ୟ ବାତ୍ୟା ପ୍ରଭାବରେ ବର୍ଷା ସତର୍କବାଣୀ ଦିଆଯାଇଛି ।

ଯଦି ବାତ୍ୟାର ପ୍ରଭାବ ଯଥେଷ୍ଟ ଅଧିକ ରୁହେ, ସେଥିପାଇଁ ନୈାସେନାକୁ ମଧ୍ୟ ଷ୍ଟାଣ୍ଡବାଏରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତିର ଆକଳନ ପାଇଁ ନେଇଛନ୍ତି ଉଚ୍ଚସ୍ତରୀୟ ବୈଠକ । ଜାୟୀୟ ବିପର୍ଯ୍ୟ ପ୍ରଶମନ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ମୁକାବିଲା ପାଇଁ କିଭଳି ପ୍ରସ୍ତୁତି କରାଯାଇଛି, ତାର ସମୀକ୍ଷା କରାଯାଇଛି । ସେହିଭଳି ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି, ଅନେକ ବିମାନ ଉଡାଣକୁ ବାତିଲ କରାଯାଇଛି ।