ଧାନ ଅମଳ ସମୟରେ ଦୁଃଖ ଦେଇଗଲା ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା, ବିଲରେ ଲହଡ଼ି ଭାଙ୍ଗିଲା ପାଣି, ଭାସିଲା ପାଚିଲା ଧାନ

116

କନକ ବ୍ୟୁରୋ : ବାତ୍ୟା ଯାଇଛି , ଆଉ ଆଣିଦେଇଛି ଦୁଃଖ । ବର୍ଷାରେ ପାଚିଲା ଧାନ ନଷ୍ଟ ହେବା ସହ ବିଲରେ ଲହଡି ଭାଙ୍ଗୁଛି ପାଣି । ଇଏ ହେଉଛି ମାଲକାନଗିରି କାଲିମେଳା ବ୍ଲକ ଅଂଚଳର ଦୃଶ୍ୟ । ଧାନ ଅମଳ ସମୟରେ ବାତ୍ୟା ଆଣିଦେଇଛି ଅସରନ୍ତି ଦୁଃଖ । ବର୍ଷ ଯାକର ପରିଶ୍ରମ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି ଧାନଫସଲ । ଓଦାଧାନକୁ ପଲିଥିନ ଓ ତାଳପତ୍ର ଘୋଡାଇ ରଖିଥିଲେ ବି ତାହା ମଧ୍ୟ ଭିଜିଯାଇଛି ।…ଇଏ ହେଉଛି ଗଂଜାମ କୁକୁଡାଖଣ୍ଡି ବ୍ଲକ ଅଂଚଳର ଧାନବିଲର ଦୃଶ୍ୟ । ପାଣିଭର୍ତ୍ତି ବିଲରୁ ଧାନଗଛକୁ ଛାଣୁଛି ଚାଷୀ । ବିଲରେ ଧାନ କଟା ହୋଇ ଗଦା ହୋଇଥିବାବେଳେ ପାଣି ଭର୍ତ୍ତି ହୋଇଯାଇଛି । ଆଉ ପାଚିଲା ଧାନ ଗଜା ହେବା ଆଶଙ୍କା ସୃଷ୍ଟି ହୋଇଛି ।

କେବଳ କାଲିମେଳା କି ଗଂଜାମ ନୁହେଁ କୋରାପୁଟ ପଟ୍ଟାଙ୍ଗୀ, କଳାହାଣ୍ଡି ଜୟପାଟଣାରେ ବି ଏକାଭଳି ସ୍ଥିତି । ପୂର୍ବରୁ ଅଭାବି ବର୍ଷା ଓ ରୋଗ ପୋକରୁ ଚାଷୀ ଅନେକ କ୍ଷତି ସହିସାରିଛି । ଆଉ ଏବେ ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧିଛି । ଧାନବିଲରେ ପାଣି ଓ ଧାନ ଭିଜିଯିବା ଯୋଗୁଁ ଧାନ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଧାନ କଟା ହୋଇ ବିଲରେ ପଡିଛି । ବର୍ଷା ହେବାରୁ ଧାନ ଭିଜିଯାଇଛି । ଫଳରେ ଅମଳ କମିଯିବା ସହ ଧାନର ଗୁଣବତ୍ତା କମିଗଲେ କମଦରରେ ମିଲମାଲିକ କିଣିବା ଆଶଙ୍କା ପ୍ରକାଶ ପାଇଛି ।

ଶୀଘ୍ର ବିଲରୁ ପାଣି ନ ଶୁଖିଲେ ଅଦିନିଆ ବର୍ଷା ଚାଷୀକୂଳର ମେରୁଦଣ୍ଡ ଉପରେ ସିଧାସଳଖ ପ୍ରଭାବ ପକାଇବା ସମ୍ଭାବନା ରହିଛି । ଆଉ ଆସନ୍ତା ୧୨ ତାରିଖ ସୁଦ୍ଧା ବର୍ଷା ଯୋଗୁଁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।