ବାତ୍ୟା ଦେଖାଉଥିଲା ଚକମା । ପବନର ବେଗ କମ୍ ରହିବାରୁ ବଡ଼ କ୍ଷୟକ୍ଷତିରୁ ବର୍ତିଗଲା ଓଡ଼ିଶା, ପ୍ରତିକୂଳ ପାଣିପାଗ ଯୋଗୁଁ ଗୋଟାଇ ପାରିଲାନି ବଳ ।

499

କନକ ବ୍ୟୁରୋ : ବାତ୍ୟା ୟାସ୍, ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି । ଆଉ ଓଡ଼ିଶା ପାଇଁ ଟଳି ଯାଇଛି ଏକ ବଡ଼ ବିପଦ । ବାତ୍ୟାର ପ୍ରଭାବରେ ଧନଜୀବନ ହାନୀର ଯେତେ ବଡ଼ ଆଶଙ୍କା କରାଯାଉଥିଲା, ସୌଭାଗ୍ୟ ବଶତଃ ସେତେ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷୟକ୍ଷତି ଆକଳନ ଜାରି ରହିଛି । କିନ୍ତୁ ଏତିକି ନିଶ୍ଚିତ ଯେ ବିପଦ ଟଳିିଯାଇଛି ।

ସୌଭାଗ୍ୟ କୁହନ୍ତୁ ବା’ ସଂଯୋଗ, ଓଡ଼ିଶା ପାଇଁ ଟଳିଯାଇଛି ଏକ ବଡ଼ ବିପଦ । ବାତ୍ୟା ୟାସ୍ ଆସିଲା, ସାଥିରେ ପବନ ଓ ବର୍ଷା ବି ଆଣିଲା । କିଛି ସ୍ଥାନରେ ୩ଶହ ମିଲିମିଟର ଯାଏଁ ବର୍ଷା ହେଲା, ପବନ ୧୩୦ କିଲୋମିଟର ଯାଏଁ ଗଲା । ହେଲେ ବାତ୍ୟାକୁ ନେଇ, ଯେଉଁ ବଡ଼ଧରଣର କ୍ଷୟକ୍ଷତି ନେଇ ଆଶଙ୍କା କରାଯାଉଥିଲା, ତାହା ଟଳିଯାଇଛି ।
ବାତ୍ୟା ପୂର୍ବରୁ ପ୍ରଶାସନର ସତର୍କତା ଏବଂ ଜନସାଧାରଣଙ୍କ ସଚେତନା, ୟାସ୍ ଭଳି ଏକ ବଡ଼ ବିପର୍ଯ୍ୟୟର ମୁକାବିଲା କରିବାରେ ସହାୟକ ହୋଇଛି । ବାତ୍ୟା ଚାଲିଯାଇଛି, ଆଉ ବାତ୍ୟା ଆଶ୍ରୟସ୍ଥଳୀରୁ ଘର ମୁହାଁ ହେଉଛନ୍ତି ବାତ୍ୟା ପ୍ରଭାବିତ ଲୋକେ ।

ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବିଶେଷ କ୍ଷୟକ୍ଷତି ହୋଇଥିନଥିବା ବେଳେ କିଛି ସ୍ଥାନରେ ଗଛ ଉପୁଡି ପଡିଛି । ଆଉ ଏହାକୁ ସଫା କରି ଯାତାୟତ ସ୍ୱାଭାବିକ୍ କରିବା ପାଇଁ ଉଦ୍ୟମ ଜାରି ରହିଛି । ଭଦ୍ରକ ଓ ବାଲେଶ୍ୱରରେ ୟାସର ପ୍ରଭାବ ବେଶି ଅନୁଭତ ହୋଇଥିବା ବେଳେ ପବନ କମିଥିବାରୁ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି ।
ବାଲେଶ୍ୱରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଘସିପୁରାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପଟେ ବାତ୍ୟା ବିପଦ ଟଳିଯିବା ପରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଟିମ୍ ରାସ୍ତା ସଫା କାମରେ ଲାଗିଛନ୍ତି ।

ଏତେ ବଡ଼ ବାତ୍ୟାରେ ହୁଏତ, ଧନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇନାହିଁ । କିନ୍ତୁ ବାତ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । କାରଣ, ବହୁ ଗାଁରେ ପାଣି ପଶିଛି । ବାହାନଗା, ରେମୁଣା , ବାଲେଶ୍ୱର ସଦର, ଧାମରାରେ ପଶିଛି ପାଣି ।