ପ୍ରକୃତିର କରାଳ ରୂପ ! ପ୍ରଳୟ ଆଣିଲା ଇଡ଼ାଇ ଝଡ଼, ୧୩ଶହରୁ ଅଧିକ ମୃତ ଆଶଙ୍କା, ଅନେକ ନିଖୋଜ, ଯୋଗାଯୋଗ ବିଛିନ୍ନ ।

1,977

କନକ ବ୍ୟୁରୋ : ଜିମ୍ବାୱେ ଓ ମୋଜାମ୍ବିକରେ ପ୍ରଳୟଙ୍କରୀ ଝଡ଼ବାତ୍ୟା । ଇଡ଼ାଇ ଝଡ଼ବାତ୍ୟା ଯୋଗୁ ବର୍ତମାନ ଯାଏଁ ୧୩ଶହରୁ ଉଦ୍ଧ୍ୱର୍ ବ୍ୟକ୍ତି ପ୍ରାଣ ହରାଇଛନ୍ତି  । ସେପଟେ ଝଡ଼ ପ୍ରଭାବରୁ ପଡ଼ୋଶୀ ଦେଶ ମାସୱିକୋ, ପୂର୍ବ ମାସାନୋଲ୍ୟାଣ୍ଡରେ ମଧ୍ୟ ଭୟଙ୍କର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଝଡ଼ ପ୍ରଭାବରୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗିରହିଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ବେଳାଭୂମିରେ ଉଠିଛି ୧୦ ଫୁଟର ଢେଉ । ଏବେ ପର୍ଯ୍ୟନ୍ତ ୧ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ପକ୍ଷରୁ ଅଣାଯାଇଛି  ।

ପ୍ରଳୟ ଆଣିଲା ଇଡ଼ାଇ ଝଡ଼ । ବାତ୍ୟା ଆଣିଲା ବିପର୍ଯ୍ୟୟ । ଇଡ଼ାଇ ଝଡ଼ବାତ୍ୟା ଓ ଲଗାଣ ବର୍ଷା ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି ମୋଜାମ୍ବିକ୍ ଓ ଜିମ୍ବାୱେ ଅଂଚଳରେ । କେଉଁଠି ଗଛ ଉପୁଡ଼ି ପଡ଼ିଛି ତ ପୁଣି କେଉଁଠି ଘରେ ଚାଲିଛି ପାଣି  । ଝଡ଼ ପ୍ରଭାବରୁ ଠପ୍ ହୋଇଯାଇଛି ସ୍ୱାଭାବିକ ଜୀବନଯାତ୍ରା । ବର୍ତମାନ ପର୍ଯ୍ୟନ୍ତ ଇଡ଼ାଇ ଝଡ଼ବାତ୍ୟା ଯୋଗୁ ୧୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ୨୦୦ରୁ ଅଧିକ ଲୋକ ନିଖୋଜ୍ ଥିବା ଜଣାପଡ଼ିଛି । ପ୍ରଳୟଙ୍କରୀ ଝଡ଼ବାତ୍ୟା ଯୋଗୁ ଜିମ୍ବାୱେ ଓ ମୋଜାମ୍ବିକରେ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଓ ୨୦ ହଜାର ଘର କ୍ଷତିଗ୍ରସ୍ଥ ହୋଇଥିବା ଜାତିସଂଘ କହିଛି  ।

– ବାତ୍ୟା ପର ସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ସରକାର ୩୪୫୫ କୋଟି ଟଙ୍କା ତତ୍କାଳ ସହାୟତା ରାଶି ମଂଜୁର୍ କରିଛନ୍ତି  ।

– ବାତ୍ୟା ପରେ ବନ୍ୟା ଯୋଗୁ ୯.୨ ଲକ୍ଷ ଲୋକଙ୍କ ଘରଦ୍ୱାର ଭାଂଗିଯାଇଥିବା ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି  ।

– ମୋଜାମ୍ବିକରେ ୧୦୦୦ରୁ ଅଧିକ ଓ ଜିମ୍ବାୱେରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି ।

– ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି  ।

– ମୋଜାମ୍ବିକର ମୁଖ୍ୟ ବାଣିଜ୍ୟିକ ବନ୍ଦର କୁହାଯାଉଥିବା ବେଇରା ସହର ଇଡ଼ାଇ ଝଡ଼ବାତ୍ୟା କାରଣରୁ ସର୍ବାଧିକ ପ୍ରଭାବିତ ହୋଇଛି  ।

– ମୋଜାମ୍ବିକ, ଜିମ୍ବାୱେ ଓ ମଲାୱିରେ ଝଡ଼ବାତ୍ୟା ଯୋଗୁ ବିମାନ ଚଳାଚଳ, ବିଦ୍ୟୁତ ଯୋଗାଣ, ରେଳସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି  ।

ପ୍ରକୃତିର କରାଳ ରୂପ । ତିନି ଦେଶର ମେରୁଦଣ୍ଡ ଭାଂଗିଦେଇଛି ଇଡ଼ାଇ ଝଡ଼ବାତ୍ୟା । କିଏ ନିଜ ପୁଅକୁ ହରାଇଛି ତ ପୁଣି କିଏ ନିଜ ସ୍ୱାମୀକୁ ଖୋଜୁଛି । କେହି ପୁଣି ନିଜ ଭାଂଗିଯାଇଥିବା ଘରକୁ ଦେଖି ଆଖିରୁ ଲୁହ ଝରାଉଛି । ଇଡ଼ାଇ ଝଡ଼ ଆସିଛି ଓ ଚାଲିଯାଇଛି ତା ବାଟରେ, କିନ୍ତୁ ସବୁଠି ନିଜର ପାଦଚିହ୍ନ ଛାଡ଼ିଯାଇଛି । ଯାହାକୁ ଲିଭାଇବା ପାଇଁ ହୁଏତ ମୋଜାମ୍ବିକ, ଜିମ୍ବାୱେ ଓ ମଲାୱିକୁ ବର୍ଷ ବର୍ଷ ସମୟ ଲାଗିଯାଇପାରେ । ଅନ୍ୟପଟେ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଉଦ୍ଧାରକାର୍ଯ୍ୟ ଚଳାଇଛି । ସମସ୍ତଙ୍କ ମନରେ ଏବେ ବି ଇଡ଼ାଇ ଝଡ଼ବାତ୍ୟାର ଭୟ ଓ ଆତଙ୍କ ଲାଗି ରହିଛି  ।