୯ ବର୍ଷରେ ୮ ଥର : ବାତ୍ୟା ପାଲଟିଲାଣି ଓଡ଼ିଶାର ଚିର ସହଚର 

223

କନକ ବ୍ୟୁରୋ : ଗତ ୯ ବର୍ଷ ମଧ୍ୟରେ ଓଡ଼ିଶା ୮ଟି ବାତ୍ୟାର ସମ୍ମୁଖୀନ ହେଲାଣି। ବିଶେଷକରି ଗତ ତିନି ବର୍ଷ ମଧ୍ୟରେ ୫ଟି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଯେଉଁଥିରେ ବ୍ୟାପକ କ୍ଷତି ହେବା ସହ ଧନଜୀବନ ବି ନଷ୍ଟ ହୋଇଛି। ତେବେ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ରାଜ୍ୟ ସରକାର କିଛିଟା ସଫଳ ହୋଇଛନ୍ତି। ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶା ଯେଉଁଭଳି ଭାବେ କ୍ଷତି ସହିଥିଲା ସେଭଳି ସ୍ଥିତି ଆଉ ନାହିଁ। ମାତ୍ର ବର୍ତମାନ ସମୟରେ ପ୍ରତିବର୍ଷ ଏକାଧିକ ବାତ୍ୟା‌ ଓଡ଼ିଶାକୁ ମାଡ଼ ହେବା ଚିନ୍ତାର ବିଷୟ ପାଲଟିଛି।

୧୯୯୯ ମହାବାତ୍ୟା ପରେ ଦୀର୍ଘ ୧୪ ବର୍ଷ ଧରି କୌଣସି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ନ ଥିଲା। ତେବେ ୨୦୧୩ରୁ ଓଡ଼ିଶା କ୍ରମାଗତ ଭାବେ ବାତ୍ୟାର ସମ୍ମୁଖୀନ ହେଉଛି। ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, ୨୦୧୩ରେ ‘ଫାଇଲିନ୍‌’, ୨୦୧୪ରେ ‘ହୁଡ୍‌ହୁଡ୍‌’, ୨୦୧୭ରେ ‘ତିତଲି’, ୨୦୧୯ରେ ‘ଫନି’ ଓ ‘ବୁଲବୁଲ୍’, ୨୦୨୦ରେ ‘ଅମ୍ଫାନ୍‌’, ୨୦୨୧ ମେ’ ମାସରେ ‘ୟସ୍‌’ ବାତ୍ୟାକୁ ସାମ୍ନା କରିଥିଲା ଓଡ଼ିଶା। ଆଉ ଏବେ ପୁଣି ବାତ୍ୟା ‘ଗୁଲାବ’ ଓଡ଼ିଶାକୁ ମାଡ଼ କରିଛି। ଉପରୋକ୍ତ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଊଣା ଅଧିକ ଓଡ଼ିଶା ଅଧିକ ପ୍ରଭାବିତ ହୋଇଛି। କେଉଁଠି ବାତ୍ୟା ସିଧାସଳଖ ଓଡ଼ିଶାକୁ ମାଡ଼ କରିଛି ତ କେବେ ଘଷି ହୋଇ ପଡ଼ୋଶୀ ରାଜ୍ୟରେ ଲ୍ୟାଣ୍ଡଫଲ୍ କରିଛି। କିନ୍ତୁ ପ୍ରତିଟି ଥର ଦେଖାଯାଇଛି ଯେ ପୂର୍ବାପେକ୍ଷା କ୍ଷୟକ୍ଷତି କମିଛି। ବିଶେଷ କରି ଧନଜୀବନ ସୁରକ୍ଷା କରି ଓଡ଼ିଶା ଏବେ ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛି।

ମହାବାତ୍ୟା ପରେ ‘ଫାଇଲିନ୍‌’ ସବୁଠାରୁ ଅଧିକ ଭୟାବହ ଥିଲା। ୨୦୧୩ ଅକ୍ଟୋବରରେ ସଂଘଟିତ ଏହି ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୨୨୦ କିମି ରହିଥିଲା। ସିଧାସଳଖ ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିବା ଏହି ବାତ୍ୟା ଦ୍ବାରା ରାଜ୍ୟର ୧୮ ହଜାର ୩୭୪ ଗ୍ରାମ ଏବଂ ୧୩.୨୪ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୦୧୪ ଅକ୍ଟୋବରରେ ‘ହୁଡ୍‌ହୁଡ୍‌’ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲା। ଯେଉଁଥିରେ ୯ ହଜାର ୬୫୭ ଗ୍ରାମର ୩. ୩୪ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ୨୦୧୭ ଅକ୍ଟୋବରରେ ବାତ୍ୟା ‘ତିତଲି’ ଆସିଥିଲା। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ୮ହଜାର ୬୯୧ ଗ୍ରାମର ୬ ନିୟୁତରୁ ଅଧିକ ଲୋକଙ୍କ ଉପରେ ପ୍ରଭାବ ପଡ଼ିଥିଲା। ୨୦୧୯ରେ ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଇଥିଲା। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟ ବାତ୍ୟାଗୁଡ଼ିକ ଭଳି ଏହା ମୌସୁମୀ ପରର ବାତ୍ୟା ନ ଥିଲା। ବରଂ ପ୍ରାକ୍‌ ମୌସୁମୀ ବାତ୍ୟା ରହିଥିଲା। ମେ’ ମାସରେ ହୋଇଥିବା ଏହି ବାତ୍ୟାରେ ପବନର ବେଗ ୧୮୦ କିମି ଛୁଇଁଥିଲା। ବାତ୍ୟା ମାଡ଼ରେ ଶ୍ରୀ‌କ୍ଷେତ୍ର ଶ୍ରୀହୀନ ହୋଇ ପଡ଼ିଥିବା ବେଳେ ରାଜଧାନୀର ରୂପ ବଦଳାଇ ଦେଇଥିଲା। ବାତ୍ୟା ପ୍ରଭାବରେ ୨୦ ହଜାର ୩୬୭ ଗାଁର ୧୫.୬୬ ନିୟୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ।

ଭାରତୀୟ ପାଣିପାଗ ବିଭାଗର କହିବା କଥା ହେଉଛି ଯେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ସମୁଦ୍ରତଟର ନିକଟବର୍ତ୍ତୀ ହେଲା ବେଳକୁ ମନ୍ଥର ହୋଇଯାଉଛି। ଅର୍ଥାତ୍ ଏହା ସାଧାରଣ ବେଗ ଅପେକ୍ଷା ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହେଉଛି। ଏଥିସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ପରିମାଣରେ ପରିବର୍ତ୍ତନ ଆସିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ଦିନ ପ୍ରବଳ ବର୍ଷା ହେଉଛି ଓ କମ୍ ଦିନ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେଉଛି।