ବାତ୍ୟା ‘ଗୁଲାବ’ ଅପଡେଟ୍ । ଗୋପାଳପୁରଠୁ ୧୨୫ କିଲୋମିଟର ଦୂରରେ ‘ଗୁଲାବ’

186

କନକ ବ୍ୟୁରୋ: ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୨୫ କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୬୦ କିଲୋମିଟର ଦୂରରେ ରହିଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ବୁଲେଟିନ ମୁତାବକ, ରାତି ୯ଟାରୁ ଆରମ୍ଭ ହେବ ‘ବାତ୍ୟା ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ୨ରୁ ୩ ଘଂଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଲ୍ୟାଣ୍ଡଫଲର ପ୍ରଭାବ ୬ଘଂଟା ଯାଏଁ ରହିବ ବୋଲି ଆକଳନ କରାଯାଇଛି । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଏହାର ପ୍ରଭାବ ଗଜପତି ଓ ଗଂଜାମ ଉପରେ ଅଧିକ ରହିବ ।

ବାତ୍ୟା ପାଇଁ ୭ ଜିଲ୍ଲାକୁ ରେଡ଼୍ ୱାଣ୍ଣିଂ ଜାରି କରାଯାଇଛି । ଏହି ୭ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିମି ରହିପାରେ । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଂଟିମିଟର ବର୍ଷା ସମ୍ଭାବନା ରହିଛି । ଭୁସ୍ଖଳନ ଓ ଅକସ୍ମାତ ବନ୍ୟା ପାଇଁ ସତର୍କତା ଜାରି କରାଯାଇଛି । ୪ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି ଜିଲ୍ଲାକୁ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ୫୫ରୁ ୬୫ ବେଗରେ ପବନ ବହିବ ।

ଅନ୍ୟପଟେ ପ୍ରଭାବିତ ହେବାକୁ୍ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଉଛି । କୋଭିଡ୍ ନିୟମ ମାନି ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଅଳ୍ପ ଅଳ୍ପ ଲୋକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡା, କଳାହାଣ୍ଡି, ଗଜପତିରେ ଲୋକଙ୍କୁ ସଚେତନ କରାଯାଉଛି ।