ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ୍ ଛୁଟି । ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ?

1,911

କନକ ବ୍ୟୁରୋ : ବାତ୍ୟା ଗୁଲାବ ଆଣି ନପାରେ ବଡ ପବନ । ହେଲେ ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତିରେ ପବନର ବେଗ ଘଂଟାପ୍ରତି ୭୦ କିଲୋମିଟର ରହିବ । ଏପରିକି ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ । ବ୍ୟାତ୍ୟ ସ୍ଥଳଭାଗ ଛୁଇଁବା ପରେ ପବନର ବେଗ କମିଯିବ । ତେବେ ବତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଭିଡିଓ କନଫରେନସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟ ସାଶନ ସଚିବ. ଏସଆରସିଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

 ମୁଖ୍ୟମନ୍ତ୍ରୀ ଆଜି ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଉଛି । ଆଶ୍ରୟସ୍ଥଳ ଗୁଡିକରେ ଅଳ୍ପ ଅଳ୍ପ ଲୋକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡା, କଳାହାଣ୍ଡି, ଗଜପତିରେ ଲୋକଙ୍କୁ ସଚେତନ କରାଯାଉଛି । ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ମଧ୍ୟ ସ୍ଥିତି ଦେଖି ଜିଲ୍ଲାପାଳମାନେ ନିଷ୍ପତି କରିବାକୁ କୁହାଯାଇଛି । ଲୋକଙ୍କୁ ଆସନ୍ତକାଲି ସକାଳ ୯ଟା ଯାଏଁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବର୍ଷା, ପବନ ସମୟରେ ବାହାରେ ନବୁଲିବାକୁ କୁହାଯାଇଛି ।

ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଥିଲେ ।  ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଥିଲେ । ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ସଂଭାବନା ରହିଛି ବୋଲି ସେ ସତର୍କ କରାଇ ଦେଇଥିଲେ । ଆଜି ଅପରାହ୍ନ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ ।