ସମୁଦ୍ର ଭିତରେ ୨୪ କିମି ବେଗରେ ଆସୁଛି ବାତ୍ୟା ଗୁଲାବ । ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।

118

କନକ ବ୍ୟୁରୋ: ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦ୍ର ଭିତରେ ଏବେ ଧୀରେ ଧୀରେ ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗକୁ ୧୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି କଳିଙ୍ଗପଟନମର ପୂର୍ବ ଉତ୍ତର-ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି ଗୁଲାବ ।  ସମୁଦ୍ରରେ ଏବେ ୩ ଘଣ୍ଟା ହେଲା ୨୪ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଉପକୂଳ ମୁହାଁ ହେଉଛି । ସମୁଦ୍ରରେ ବାତ୍ୟା ଗୁଲାବର ଘଣ୍ଟା ପ୍ରତି ବେଗକୁ ଦେଖି ଆଜି ସନ୍ଧ୍ୟା ସୁଦ୍ଧା ଗୁଲାବର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ୨ରୁ ୩ ଘଣ୍ଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ଓ ଏହାର ପ୍ରଭାବ ୬ଘଣ୍ଟା ଯାଏଁ ରହିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ପବନ ଝଟକା ଦେଇପାରେ । ବିଶେଷ କରି ଗଜପତି ଓ ଗଞ୍ଜାମ ଉପରେ ଅଧିକ ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ପାଇଁ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୭ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିମି ରହିପାରେ, ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଣ୍ଟିମିଟର ବର୍ଷା ହେବା ସମ୍ଭାବନା ରହିଛି । ଭୁସ୍ଖଳନ ଓ ଅକସ୍ମାତ ବନ୍ୟା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି  ୪ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।