ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡିଶା ଉପକୂଳ ମୁହାଁ ବାତ୍ୟା ‘ଗୁଲାବ’ : ଗୋପାଳପୁରର ନିକଟତର ହେଉଛି ବାତ୍ୟା 

୬ ଘଂଟା ହେଲା ୧୭ କିଲୋମିଟର ବେଗରେ ସମୁଦ୍ରରେ କରୁଛି ଅତିକ୍ରମ, ରାତି ୯ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା; ୭୫ରୁ ୮୫ କିଲୋମିଟର ବେଗରେ ବୋହିବ ପବନ

179

କନକ ବ୍ୟୁରୋ : ଗୋପାଳପୁରର ନିକଟତର ହେଉଛି ବାତ୍ୟା ‘ଗୁଲାବ’ । ଏବେ ଗୋପାଳପୁରଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୮୦ କିଲୋମିଟର ଦୂରରେ ରହିଛି । ୬ ଘଂଟା ହେବ ବାତ୍ୟା ୧୭ କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରୁଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନ ଦେଇଛି । ରାତି ୯ଟାରୁ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ୨ରୁ ୩ ଘଂଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଲ୍ୟାଣ୍ଡଫଲର ପ୍ରଭାବ ୬ଘଂଟା ଯାଏଁ ରହିବ ବୋଲି ଆକଳନ କରାଯାଇଛି । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଏହାର ପ୍ରଭାବ ଗଜପତି ଓ ଗଂଜାମ ଉପରେ ଅଧିକ ରହିବ ।

ବାତ୍ୟା ପାଇଁ ୭ ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୭ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିମି ରହିପାରେ । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଂଟିମିଟର ବର୍ଷା ସମ୍ଭାବନା ରହିଛି । ଭୁସ୍ଖଳନ ଓ ଅକସ୍ମାତ ବନ୍ୟା ପାଇଁ ସତର୍କତା ଜାରି କରାଯାଇଛି । ୪ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ୫୫ରୁ ୬୫ ବେଗରେ ପବନ ବହିବ । ଏହି ୪ ଜିଲ୍ଲାରେ ଝଟକା ପବନ ୭୫ କିମି ରହିବ । ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାରେ ୪୦ରୁ ୫୦ ଏବଂ ଝଟକା ପବନ ୬୦ କିଲୋମିଟର ରହିବ । ଚାନ୍ଦବାଲିରେ ୨୧ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । ଭୁବନେଶ୍ୱରରେ ଆଜି ୨ରୁ ୩ ସେଂଟିମିଟର ବର୍ଷା ହୋଇପାରେ । ଭୁବନେଶ୍ୱରରେ ପବନର ବେଗ ୪୫ରୁ ୫୦ କିଲୋମିଟର ରହିବ ।