ଓଡ଼ିଶା ଉପରେ ପଡ଼ିନି ‘ଗୁଲାବ’ର ବଡ଼ ପ୍ରଭାବ: ଏସଆରସି

134

କନକ ବୁରୋ: ବାତ୍ୟା ‘ଗୁଲାବ’ ପ୍ରଭାବରେ ରାଜ୍ୟର କୌଣସି ସ୍ଥାନରେ ହୋଇନି ବଡ଼ ପବନ । ଓଡ଼ିଶାରେ ପଡ଼ିନି ‘ଗୁଲାବ’ ବିଶେଷ କିଛି ପ୍ରଭାବ । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ତାଜା ବୁଲେଟିନ୍ ମୁତାବକ ଆଉ ୨ରୁ ୩ ଘଣ୍ଟା ଭିତରେ ବାତ୍ୟା ‘ଗୁଲାବ’ର ପ୍ରଭାବ ଓଡ଼ିଶାରୁ ସମ୍ପୂର୍ଣ୍ଣ ପଳାଇବ । କାଁ ଭାଁ ସ୍ଥାନରେ ବର୍ଷା ଜାରି ରହିଛି କିନ୍ତୁ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ । ମାଲକାନଗିରି ଜିଲ୍ଲାରେ ୫୦ରୁ ୬୦ଗଛ ଉପୁଡ଼ି ପଡ଼ିଥିଲା ଏବେ ସେହି ସ୍ଥାନରୁ ପୁନଃରୁଦ୍ଧାର କରାଯାଇଛି । କୋରାପୁଟରେ ଭୂସ୍ଖଳନ ହୋଇଥିଲା ସେଠାରେ ବି କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ରିପୋର୍ଟ ମୁତାବକ ‘ଗୁଲାବ’ର ପ୍ରଭାବରେ ପୂର୍ବନୁମାନ ହୋଇଥିବା ପ୍ରଭାବିତ ଜିଲ୍ଲା ଗୁଡ଼ିକର ୨୧ଟି ବ୍ଲକରେ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । କିଛି ପାହାଡ଼ିଆ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିଲା ଏବେ କମିଗଲାଣି । ତେବେ ଏହି ବାତ୍ୟା ‘ଗୁଲାବ’ର ସ୍ଥାନାନ୍ତରଣ ବେଳେ ମୋଟ୍ ୪୬ ହଜାର ୭୫ ଜଣଙ୍କୁ ପ୍ରାୟ ୧୧ଶହ ୮୯ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି । ସବୁଠାରୁ ବଡ଼ କଥା ହେଲା କି, ୧୫୩୩ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ଖୁସିର କଥା କି, ଗଞ୍ଜାମର ଏକ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ଜଣେ ଶିଶୁ ଜନ୍ମ ନେଇଛି ।

ଅନ୍ୟପଟେ ମାଲକାନଗିରି ଏବେ ବି ବର୍ଷା ଜାରି ରହିଛି କିନ୍ତୁ ବିଶେଷ କ୍ଷତି ହେବନି, ତଥାପି ଆମେ ସବୁବେଳେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛୁ । ସବୁର ସ୍ଥିତି ଉପରେ ଆମେ ନଜର ରଖିଛୁ । ତେବେ ବିଦ୍ୟୁତ୍ ଜନିତ କ୍ଷୟକ୍ଷତିର ଖବର ଆସିନଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।