୬ ଘଂଟାରେ ବାତ୍ୟା ! କାଲି ସକାଳେ ଦିଗ ପରିବର୍ତନ କରି ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ବାଙ୍ଗଲାଦେଶ ଆଡକୁ ମୁହାଁଇବା ସମ୍ଭାବନା

651

କନକ ବ୍ୟୁରୋ : ୬ଘଂଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ବାତ୍ୟାର ରୂପ ନେବା ପରେ ଆସନ୍ତାକାଲି ସକାଳୁ ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ହେଲେ, କେଉଁଠି ଛୁଇଁବ ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି । କିନ୍ତୁ ଶେଷ ମୂହୁର୍ତରେ ଦିଗ ପରିବର୍ତନ କରି ବାଙ୍ଗଲାଦେଶ ମୁହାଁ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୦୦ କିମି, ପାରଦୀପଠାରୁ ୭୦୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୦ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଂଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ ।

ବାତ୍ୟା କେଉଁଠି ଛୁଇଁବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଏବଂ ସଂଧ୍ୟାଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି । ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

 ସାମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲାରେ ପହଂଚିଛି ଏନଡିଆରଏଫର ୨୦ ଜଣିଆ ଗୋଟିଏ ଟିମ୍ ଓ ୨୭ ଜଣିଆ ବିଶିଷ୍ଟ ଓଡ୍ରାଫ ଟିମ୍ । ଜିଲ୍ଲାରେ ବେଶି ପ୍ରଭାବିତ ହେବାକୁ ଥିବା ରାୟଗଡ଼ ଓ ଗୋଷାଣୀ ବ୍ଲକ ଅଂଚଳକୁ ୨ଟି ଭାଗରେ ବିଭକ୍ତ ହୋଇ ଗସ୍ତ କରିଛନ୍ତି । ସେହିପରି ଓଡ୍ରାଫ ଟିମ୍ ମଧ୍ୟ ବିଭିନ୍ନ ଅଂଚଳରେ ନିୟୋଜିତ ହେବା ନେଇ ପ୍ରସ୍ତୁତ କରାଯାଇଛି । ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ ହଟାଇବା ଏବଂ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏହି ଟିମ୍ ପ୍ରସ୍ତୁତ ହେଉଛି ।